କନକ ବ୍ୟୁରୋ: ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମ୍ୟାଚ୍ ଟାଇ ରହିବା ପରେ ଡବଲ୍ ସୁପର ଓଭରରେ ଶେଷ ହୋଇଥିଲା । ମ୍ୟାଚ୍ ସହ ପ୍ରଥମ ସୁପର ଓଭରରେ ଉଭୟ ଦଳ ସମାନ ରନ୍ କରିବା ପରେ ଦ୍ବିତୀୟ ସୁପର ଓଭରରେ ଦକ୍ଷିଣ ଆଫ୍ରିକା ନାଟକୀୟ ବିଜୟ ହାସଲ କରିଥିଲା । ତେବେ ଏହି ମ୍ୟାଚ୍ ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରଥମ ଟାଇ ମ୍ୟାଚ୍ ନଥିଲା । ୨୦୦୭ ମସିହାର ପ୍ରଥମ ସଂସ୍କରଣରେ ବି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ପ୍ରସିଦ୍ଧ ମ୍ୟାଚ୍ ଟାଇ ରହିଥିଲା । ସେତେବେଳର ବୋଲ୍ ଆଉଟ୍ ନିୟମରେ ଭାରତ ଏହାକୁ ଜିତି ନେଇଥିଲା । ଆସନ୍ତା ୧୫ ତାରିଖରେ ଭାରତ ଓ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେଉଥିଲା ବେଳେ ୧୯ବର୍ଷ ତଳର ସେହି ଚର୍ଚ୍ଚିତ ମୁକାବିଲା ସହ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଏଭଳି କିଛି ଚର୍ଚ୍ଚିତ ଟାଇ ମ୍ୟାଚ୍ ଉପରେ ଆସନ୍ତୁ ନଜର ପକାଇବା ।
ଏହା ବି ପଢ଼ନ୍ତୁ: ଅବସର ନେବେନି ରୋହିତ: କହିଲେ୨୦୨୭ ବିଶ୍ବକପ୍ ଜିତିବାକୁ କିଛି ବି କରିବି’
ଭାରତ-ପାକିସ୍ତାନ, ୨୦୦୭
ଟ୍ବେଣ୍ଟି-୨୦ ଇତିହାସର ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ଟାଇ ୨୦୦୭ ମସିହାର ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଭାରତ-ପାକିସ୍ତାନ ମ୍ୟାଚ୍ରେ ଦେଖିବାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକାର ଡର୍ବାନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ବିନିମୟରେ ୧୪୧ ରନ୍ କରିଥିଲା । ପାକିସ୍ତାନ ବିଜୟର ଦ୍ବାର ଦେଶରେ ଥିଲେ ମଧ୍ୟ ୭ ୱିକେଟ୍ ହରାଇ ସେହି ୧୪୧ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ବୋଲ୍ଆଉଟ୍ରେ କିନ୍ତୁ ଭାରତ ବାଜି ମାରି ନେଇଥିଲା । ୩-୦ର ସ୍କୋର୍ ସହ ମ୍ୟାଚ୍ ଜିତି ନେଇଥିଲା । ପରେ ଭାରତ ଫାଇନାଲ୍ରେ ପାକିସ୍ତାନକୁ ପୁଣି ଥରେ ହରାଇ ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସର ପ୍ରଥମ ବିଜେତା ହେବାର ଗୌରବ ଅର୍ଜନ କରିଥିଲା ।
ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ, ୨୦୧୨
୨୦୧୨ ମସିହାରେ ଶ୍ରୀଲଙ୍କାର ପାଲେକେଲ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ମାତ୍ର କିଛି ଦିନ ଭିତରେ ଦୁଇଟି ଟାଇ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ବିଶ୍ବକପ୍ ମ୍ୟାଚ୍ରେ ଉଭୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୭୪ ରନ୍ ଲେଖାଏଁ କରିଥିଲେ । ଫଳରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା । ଜବରଦସ୍ତ ବ୍ୟାଟିଂ ପାଇଁ ଶ୍ରୀଲଙ୍କା ଏହି ମ୍ୟାଚ୍ରେ ବିଜୟୀ ହୋଇଥିଲା ।
ନ୍ୟୁଜିଲାଣ୍ଡ-ୱେଷ୍ଟଇଣ୍ଡିଜ୍, ୨୦୧୨
ମାତ୍ର କିଛି ଦିନ ପରେ ପାଲେକେଲ୍ ଷ୍ଟାଡିୟମ୍ରେ କ୍ରିକେଟ୍ପ୍ରେମୀ ଆଉ ଏକ ରୋମାଞ୍ଚଭରା ଟାଇ ମ୍ୟାଚ୍ ଦେଖିବାକୁ ପାଇଥିଲେ । ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଭୟ ଦଳ ୧୩୯ ରନ୍ ଲେଖାଏଁ କରିଥିଲେ । ସୁପର ଓଭର ମଧ୍ୟ ବେଶ୍ ନାଟକୀୟ ଥିଲା । ନ୍ୟୁଜିଲାଣ୍ଡ ଏଥର ଶ୍ରୀଲଙ୍କା ବିପକ୍ଷରେ କରିଥିବା ଭୁଲ୍କୁ ଦୋହରାଇ ନଥିଲା । ଏହି ସୁପର ଓଭରକୁ ଜିତି ଲଗାତାର ଦୁଇଟି ଟାଇ ମ୍ୟାଚ୍ ହାରିବାର ଅଲୋଡ଼ା ରେକର୍ଡ କରିବାରୁ ବର୍ତ୍ତି ଯାଇଥିଲା ନ୍ୟୁଜିଲାଣ୍ଡ୍ ।
ନାମିବ୍ୟା-ଓମାନ, ୨୦୨୪
୨୦୨୪ ମସିହାରେ ବ୍ରିଜ୍ଟାଉନ୍ଠାରେ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଆଉ ଏକ ରୋମାଞ୍ଚଭରା ମୁକାବିଲା ଖେଳାଯାଇଥିଲା ଦୁଇ ଅନଭିଜ୍ଞ ଦଳ ନାମିବ୍ୟା ଓ ଓମାନ ମଧ୍ୟରେ । ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଲୋ ସ୍କୋରିଂ ମୁକାବିଲାରେ ଓମାନ ୧୦୯ ରନ୍ କରିବା ପରେ ନାମିବ୍ୟା ମଧ୍ୟ ସେହି ୧୦୯ ରନ୍ରେ ଅଟକି ଯାଇଥିଲା । ଫଳରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା । ନାମିବ୍ୟା ସୁପର ଓଭର ଚାପକୁ ସଫଳତାର ସହ ମୁକାବିଲା କରି ବିଜୟ ମୁକୁଟ ପିନ୍ଧିଥିଲା ।
ପାକିସ୍ତାନ-ଆମେରିକା, ୨୦୨୪
ଟ୍ବେଣ୍ଟି-୨୦ ବିଶ୍ବକପ୍ ଟାଇ ମ୍ୟାଚ୍ର ଆଉ ଏକ ନାଟକୀୟ ରୂପ ୨୦୨୪ର ପାକିସ୍ତାନ-ଆମେରିକା ମ୍ୟାଚ୍ରେ ଦେଖିବାକୁ ମିଳିଥିଲା । ଗ୍ରୁପ୍-ଏ’ର ଏହି ମ୍ୟାଚ୍ରେ ୨୦୦୯ ମସିହା ବିଜେତା ପାକିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟରୁ ବାହରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ବିନିମୟରେ ୧୫୯ ରନ୍ କରିଥିଲା । ଜବାବରେ ଆମେରିକା ଶେଷ ଓଭରରେ ୧୪ ରନ୍ ଅମଳ କରିବା ସହ ୧୫୯/୩ରେ ତା’ର ପଶ୍ଚାତଧାବନ ଶେଷ କରିଥିଲା । ଫଳରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା । ସେଠାରେ ପାକିସ୍ତାନ ସମ୍ମୁଖରେ ଆମେରିକା ୧୯ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ପୁଣି ସୌରଭ ନେତ୍ରଭାଲକରଙ୍କ ଶାଣିତ ବୋଲିଂ ବଳରେ ପାକିସ୍ତାନକୁ ୧୩/୧ରେ ଅଟକାଇ ଐତିହାସିକ ବିଜୟ ହାସଲ କରିଥିଲା । ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସର ଏହା ମଧ୍ୟ ଅନ୍ୟତମ ବଡ଼ ବିପର୍ଯ୍ୟୟ ଥିଲା ।
ଆଫଗାନିସ୍ତାନ-ଦକ୍ଷିଣ ଆଫ୍ରିକା, ୨୦୨୬
ଚଳିତ ସଂସ୍କରଣର ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍ ବିନିମୟରେ ୧୮୭ ରନ୍ କରିଥିଲା । ଜବାବରେ ଆଫଗାନିସ୍ତାନ ସାହସିକ ବ୍ୟାଟିଂ କରିଥିଲେ ମଧ୍ୟ ୧୯.୪ ଓଭରରେ ୧୮୭ ରନ୍ରେ ଅଲଆଉଟ୍ ହୋଇଯାଇ ବିଜୟର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା । ଉଭୟ ଦଳ ସମାନ ରନ୍ କରିଥିବାରୁ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା । ପ୍ରଥମ ସୁପର ଓଭରରେ ସଂଯୋଗବଶତଃ ଦୁଇଟି ଯାକ ଦଳ ୧୭ ରନ୍ କରିଥିଲେ । ଫଳରେ ଦ୍ବିତୀୟ ସୁପର ଓଭରର ଉପଯୋଗ କରାଯାଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ୨୩ ରନ୍ କରିଥିଲା । ଆଫଗାନିସ୍ତାନ ୧୯ ରନ୍ କରି ମାତ୍ର ୪ ରନ୍ରେ ପରାଜିତ ହୋଇଥିଲା ।
Follow Us