କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଝରିଗାଁ ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷା ଏବେ ଆଶାକର୍ମୀ ଭାବେ କାମ କରୁଛନ୍ତି । ଦିନେ ସେ ସରକାରୀ ଅଧିକାରୀଙ୍କୁ ଆଦେଶ ଦେଇ ଲୋକଙ୍କ କାମ କରୁଥିଲେ, ଆଜି ସରକାରଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି । ଜୀବିକା ପାଇଁ ସଂଘର୍ଷ କରୁଥିବା ନବରଙ୍ଗପୁର ଝରିଗାଁର ପୂର୍ବତନ ଅଧ୍ୟକ୍ଷା ଆଜି ଆଶାକର୍ମୀ ଭାବେ ଜନସେବା କରୁଛନ୍ତି ।
ଦିନେ ଥିଲେ ବ୍ଲକ୍ ଅଧ୍ୟକ୍ଷା। ଆଜି ଆଶାକର୍ମୀ । ପରିସ୍ଥିତି ଜୀବନର ମୋଡ଼ ବଦଳାଇ ଦେଇଛି । ନବରଙ୍ଗପୁର ଜିଲ୍ଲା ଝରିଆ ବ୍ଲକ୍ ବେଲଗାଁର ସୁମିତ୍ରା କୁମ୍ଭାର । ୧୯୯୨ରେ ସମିତି ସଭ୍ୟା ନିର୍ବାଚିତ ଦେଇଥିଲେ ସୁମିତ୍ରା । ସେହିବର୍ଷ ଝରିଗାଁ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଓ ୧୯୯୪ରେ ଅଧ୍ୟକ୍ଷା ହୋଇଥିଲେ । ପରେ ଆର୍ଥିକ ଦୁରବସ୍ଥା ପାଇଁ ରାଜନୀତି ଛାଡ଼ିଥିଲେ ସୁମିତ୍ରା । ୨୦୦୭ରୁ ସେ ବେଲଗାଁ ଆଶାକର୍ମୀ ଭାବେ ନିଯୁକ୍ତି ପାଇଛନ୍ତି ।
ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ବାହା ହୋଇସାରିଛନ୍ତି । ଜଣେ ଭିନ୍ନକ୍ଷମ ଝିଅ ଓ ଏକ ମାତ୍ର ପୁଅର ପରିବାର ସହ ରହୁଛନ୍ତି ସୁମିତ୍ରା । ଆଶାକର୍ମୀ ଭାବେ ଯାହା ରୋଜଗାର ହୁଏ ଏବଂ ଗାଁରେ ଥିବା ଛୋଟ ଦୋକାନରୁ ଯାହା ରୋଜଗାର ହୁଏ ସେଥିରେ ଘର ଚଳାଇବା କଷ୍ଟ । ପୁଅ ଗାଁରେ ମୂଲ ଲାଗୁଥିବା ବେଳେ ସରକାରଙ୍କ ପକ୍ଷରୁ ମାସିକ ୨୫ କିଲୋ ଚାଉଳ ଏବଂ ଭିନ୍ନକ୍ଷମ ଝିଅକୁ ୧ ହଜାର ଟଙ୍କା ମିଳୁଛି । ଏତିକିରେ ସୁମିତ୍ରାଙ୍କ ପରିବାର ଚଳୁଛନ୍ତି ।
ରାଜନୀତି ଛାଡ଼ିଥିଲେ ବି ଜନସେବା ଛାଡ଼ି ନାହାନ୍ତି ସୁମିତ୍ରା କୁମ୍ଭାର । ଆଶାକର୍ମୀ ଭାବେ ଉଲ୍ଲେଖନୀୟ ସେବା ପାଇଁ ନବରଙ୍ଗପୁର ଜିଲ୍ଲାରେ ୨ ଥର, ଝରିଗାଁ ବ୍ଲକରେ ୩ ଥର ଏବଂ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଥରେ ସମ୍ମାନିତ ହୋଇଛନ୍ତି । ସୁମିତ୍ରାଙ୍କ ସେବାକୁ ଅଞ୍ଚଳରେ ପ୍ରଶଂସା କରାଯାଉଛି ।