କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ହାତିଆ ଗାଁର ସତ୍ୟଜିତ ବେହେରା । ବ୍ୟାଙ୍କ ମ୍ୟାନେଜର ଭାବେ ଚାକିରି କରୁଥିଲେ। ପ୍ରାୟ ୭ ବର୍ଷ ଚାକିରି କରିବା ପରେ ଏବେ ଚାକିରି ଛାଡ଼ି ନିଜ ଗାଁରେ ଆରମ୍ଭ କରିଛନ୍ତି କୁକୁଡ଼ା ଫାର୍ମ । ଯାହା କି ପରିବେଶ ଦ୍ବାରା ନିୟନ୍ତ୍ରିତ ଓ ପରିବେଶ ଉପଯୋଗୀ । ତାଙ୍କ ଫାର୍ମରେ ସ୍ଥାନୀୟ ଅଞ୍ଚଳର ୪ଜଣ ଯୁବକଙ୍କୁ ନିଯୁକ୍ତି ଦେବା ସହିତ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।
ପଡ଼ିଆ ପଡ଼ିଥିବା ନିଜ ଜମିରେ ଏବେ କୁକୁଡ଼ା ଫାର୍ମ କରିଛନ୍ତି ସତ୍ୟଜିତ। ମାର୍ଶାଘାଇ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସହିତ ଯୋଗାଯୋଗ କରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧୨ ହଜାର କ୍ଷମତାବିଶିଷ୍ଟ ପରିବେଶ ନିୟନ୍ତ୍ରିତ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରିଛନ୍ତି । ଏହି ଫାର୍ମ ପାଇଁ ସେ ପ୍ରାୟ ୫୦ ଲକ୍ଷ ଟଙ୍କା ଋଣ ୫୦% ରିହାତିରେ ଆଣିଥିଲେ । ସବୁ ଖର୍ଚ୍ଚ ଯାଇ ବର୍ଷକୁ ପ୍ରାୟ ୪ଲକ୍ଷ ଟଙ୍କା ଲାଭ ହେଉଛି ।
କୁକୁଡ଼ା ଚିଆଁ ଛାଡ଼ିବାର ପ୍ରାୟ 40 ଦିନ ମଧ୍ୟରେ କୁଡ଼ା ବିକ୍ରିଯୋଗ୍ୟ ହୋଇଥାନ୍ତି। ଏହି ଫାର୍ମରେ କୁକୁଡ଼ାଙ୍କୁ ଦିଆଯାଉଥିବା ଖାଦ୍ୟ ପାନୀୟ ସବୁକିଛି ସ୍ୱୟଂଚାଳିତ ମେସିନ ସାହାଯ୍ୟରେ କରାଯାଉଛି । ବ୍ୟାଙ୍କ ମ୍ୟାନେଜର ଚାକିରି ଛାଡ଼ିବା ପରେ ଗାଁରେ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରି ସତ୍ୟଜିତ ଆତ୍ମନିର୍ଭରଶୀଳ ହେବା ସହିତ ୪ ଜଣ ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଇଛନ୍ତି । ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।