କନକ ବ୍ୟୁରୋ: ସମୟ ଥିଲା ରୋଜଗାର କରିବା ପାଇଁ ଅଟୋ ଚଳାଉଥିଲେ । ଅନେକ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଦିନେ ଏକ ଖବରକାଗଜରୁ ଛତୁ ଚାଷ ବିଷୟରେ ଜାଣିବା ପରେ ପରୀକ୍ଷାମୂଳକ ଭାବେ ଅଳ୍ପ କିଛି ଚାଷ କଲେ। ପରେ ଏଥିରେ ଭଲ ଲାଭ ଥିବା ଅନୁଭବ କରି ଚାଷ ଆଗକୁ ବଢ଼ାଇଲେ । ଦିନକୁ ଦିନ ଚାଷ ଏତେ ବଢ଼ିଯାଇଥିଲା ଯେ ଅଟୋ ଚଳାଇବା ତାଙ୍କୁ ବନ୍ଦ କରିବାକୁ ପଡ଼ିଥିଲା । ଏବେ ୧୨ ଗୁଣ୍ଠ ଲିଜ୍‌ ଜମିରେ ଧିଙ୍ଗିରି ଛତୁ, ପାଳ ଛତୁ ଚାଷ କରିଛନ୍ତି ପ୍ରଦୀପ୍ତ । ସେ କେବଳ ନିଜେ ଛତୁ ଚାଷ କରୁନାହାନ୍ତି ୧୨ ହଜାର ଚାଷୀ ଗଢ଼ିଛନ୍ତି । ୪ରୁ ୫ଟି ଜିଲ୍ଲାରେ ଚାଷୀଙ୍କୁ ତାଲିମ ଦେଇଛନ୍ତି । 

Advertisment

ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି । ଅନେକ ଯୁବକଙ୍କୁ ଚାଷ କରିବାର ପ୍ରଣାଳୀ ଶିଖାଇଛନ୍ତି । କୃଷି ଅଧିକାରୀଙ୍କ ପରାମର୍ଶରେ ଛତୁମଞ୍ଜି ଉତ୍ପାଦନ ୟୁନିଟ୍‌ ସ୍ଥାପନ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାର ଛତୁ ଚାଷୀଙ୍କୁ ମଧ୍ୟ ମଞ୍ଜି ଯୋଗାଉଛନ୍ତି । ସମୟ ଥିଲା ଅଟୋ ଚଳାଇ ମାସକୁ ୫ ହଜାର ଟଙ୍କା ରୋଜଗାର କରିବା କଷ୍ଟସାଧ୍ୟ ଥିଲା । ଏବେ କିନ୍ତୁ ବର୍ଷକୁ ୫ରୁ ୬ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ପ୍ରଦୀପ୍ତ । ଓଡ଼ିଶାରେ ଜଣେ ସଫଳ ଛତୁଚାଷୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅନେକ ବେକାର ଯୁବକ-ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ପ୍ରଦୀପ୍ତ ମଉସା । 

ନିଜେ ଛତୁ ଚାଷ କରିବା ସହ ଯେଉଁମାନଙ୍କୁ ତାଲିମ ଦେଇଛନ୍ତି ସେମାନଙ୍କ ଠାରୁ ଛତୁ କିଣି ବାହାରକୁ ବିକ୍ରି ପାଇଁ ପଠାଉଛନ୍ତି ପ୍ରଦୀପ୍ତ । କେବଳ ସେତିକି ନୁହେଁ ସେ ଧିଙ୍ଗିରି ଛତୁରୁ ଆଚାର ପ୍ରସ୍ତୁତ କରି ଗୁଜରାଟ ଭଳି ରାଜ୍ୟରେ ବିକ୍ରି କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେ ଏହି ଚାଷ କରି ତାଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରାଇପାରିଛନ୍ତି ।