କନକ ବ୍ୟୁରୋ: ମେଜର ମୋହିତ ଶର୍ମା । ଭାରତୀୟ ସେନାରେ ସେ ଥିଲେ ଜଣେ ହିରୋ, ଜଣେ ବାହାଦୁର, ଜଣେ ସାହସୀ ସେନା । ଯିଏ ସେନାରୁ ବନିଥିଲେ ଆତଙ୍କୀ । ଆଉ ଆତଙ୍କୀ ଆଡ୍ଡାରେ ପଶି ଅନେକ ସୈତାନଙ୍କୁ ନିପାତ କରିଥିଲେ । ଭାରତୀୟ ସେନାରେ ଜଣେ ବାହାଦୁର ଅଫିସର ଏମିତି ବି ଥିଲେ ଯିଏ ଆତଙ୍କୀଙ୍କ ଘରେ ପଶି ତାଙ୍କରି ଟ୍ରେନିଂ କ୍ୟାମ୍ପରେ ଟ୍ରେନିଂ ନେଇଥିଲେ । ଆଉ ଜାମ୍ମୁ କାଶ୍ମୀରରେ ଆତଙ୍କୀ କାର୍ୟ୍ୟକଳାପରେ ଲିପ୍ତ ଥିବା ତେରାରା ଓ ସବଜାରା ଭଳି ଆତଙ୍କୀଙ୍କୁ ଶାସ୍ତି ଦେଇଥିଲେ ।
ଆଜି ବି କାଶ୍ମୀର ଘାଟିରେ ମେଜର ମୋହିତ ଶର୍ମାଙ୍କ ସାହସ ଓ ପରାକ୍ରମର କାହାଣୀ କୁହାଯାଉଛି । ଆମେ ଆଜି ସେହି ବାହାଦୁର ଯବାନଙ୍କ କଥା କହିବୁ ଯିଏ କାଶ୍ମୀରରେ ପାକିସ୍ତାନ ଆତଙ୍କୀ ଷଡ୍ଯନ୍ତ୍ରକୁ ତାଙ୍କରି ହିସାବରେ ଜବାବ ଦେଇଥିଲେ । ତେବେ ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ କାହାଣୀ?
୨୦୦୧ରେ ଭାରତୀୟ ସେନାର ଏକ ଅପରେସନରେ ଜଣେ କାଶ୍ମୀର ଯୁବକ ପ୍ରାଣ ହରାଇଥିଲେ । ଏହାପରେ ତାଙ୍କ ଭାଇ ଇଫତିକାର୍ ଭଟ୍ଟ ଭାରତୀୟ ସେନାଠାରୁ ବଦଲା ନେବାକୁ ସୁଯୋଗ ଖୋଜିଥିଲେ । ଆଉ ଏହାପରେ ସେ ଆତଙ୍କୀ କମାଣ୍ଡରଙ୍କ ସହ ମିଶିଥିଲେ । ଆଉ ତାଙ୍କ ମନରେ ବିଶ୍ୱାସ ଭରିବା ପରେ ଇଫତିକାର୍ ହିଜବୁଲ୍ଲାର ଏରିଆ କମାଣ୍ଡର ତେରାରା ଓ ସବଜାରା ସହ ମିଳାମିଶା କରିଥିଲା ।
୬ ଫୁଟ୍ ୨ ଇଞ୍ଚ ଉଚ୍ଚତା, ଆର୍ମି ଯବାନଙ୍କ ଭଳି ଚେହେରା ରଖିଥିବା ଇଫତିକାରଙ୍କ ମୁଣ୍ଡରେ ଭାରତୀୟ ସେନାଠାରୁ ବଦଲା ନେବାର ଭୂତ ଚଢ଼ିଥିଲା । ଆତଙ୍କୀ ତେରାରା ଓ ସବଜାରା ଇଫତିକାରକୁ ବି ନିଜ ସାଙ୍ଗରେ ପାକିସ୍ତାନ ନେଇଯାଇଥିଲେ । ଆଉ ସେଠାରେ ତାଙ୍କୁ ଆତଙ୍କୀ ଟ୍ରେନିଂ ଦେଇଥିଲେ । ଆଉ ପୁଣି କାଶ୍ମୀର ଘାଟି ନେଇ ଆସିଥିଲେ । ଏବେ ଇଫତିକାରକୁ ନିଜ ପ୍ରଥମ ମିସନକୁ ସଫଳତା ଦେବାର ଥିଲା । ଭାରତୀୟ ସେନା ଉପରେ ଆକ୍ରମଣ କରି ଅଧିକରୁ ଅଧିକ ଯବାନଙ୍କୁ ହତ୍ୟା କରିବା । ଶେଷରେ ସେହି ସମୟ ଆସିଥିଲା ଆଉ ଆକ୍ରମଣ ପାଇଁ ଆରମ୍ଭ ହୋଇଥିଲା ଷଡ୍ଯନ୍ତ୍ର ।
ତେରାରା ଓ ସବଜାରା ବସି ଷଡ୍ଯନ୍ତ୍ର କରୁଥାନ୍ତି ଆଉ ଇଫତିକାର ଚା’ ତିଆରି କରୁଥାଆନ୍ତି । ହଠାତ ସବଜାରା ମୁଣ୍ଡକୁ ଆସିଥିଲା ଏ ଇଫତିକାର କିଏ ? କାରଣ ଏତେ ସମୟ ଧରି ଇଫତିକାରର ନାଁ ଛଡ଼ା ତା ବିଷୟରେ କାହାକୁ କିଛି ଜଣାନଥିଲା । ଏହି ସମୟରେ ଇଫତିକାର ଚା ଧରି ଆସିଥିଲା । ହେଲେ ଚିନ୍ତାରେ ଚାପଗ୍ରସ୍ତ ଥିବା ସବଜାରା ପଚାରିଥିଲା ଇଫତିକାର୍ ତମେ କିଏ? ଆଜି ଯାଏ ତମ ପରିବାର ସାଙ୍ଗସାଥୀଙ୍କୁ ଆମେ କେବେ ଭେଟିନୁ । ଏହାଶୁଣି କାନ୍ଧରେ ଥିବା ରାଇଫଲକୁ ତଳେ ଫୋପାଡ଼ି ଦେଇଥିଲା ଇଫତିକାର୍ ଆଉ କହିଥିଲା, ଭାଇଜାନ୍ ବିଶ୍ୱାସ ନାହିଁ ତ ମୋତେ ଗୁଳି ମାରିଦିଅ, ହେଲେ ଏ ପ୍ରଶ୍ନ ପଚାରନି । ଏହାଶୁଣି କିଛି ସମୟ ଆଶ୍ୱସ୍ତ ହୋଇ ସବଜାରା ତେରାରା ଆଡକୁ ବୁଲିଥିଲେ ଆଉ ପଛରୁ ଶୁଭିଥିଲା ବନ୍ଧୁକର ଶବ୍ଦ । ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରି ଦୁଇ ଆତଙ୍କୀଙ୍କୁ ମାଟିରେ ମିଶାଇଦେଇଥିଲେ ।
ଆଉ ଏହି ଗୁଳି ଚଳାଇଥିଲେ ସେହି ଇଫତିକାର୍ ଭଟ୍ଟ । ଯାହାଙ୍କୁ ଟ୍ରେନିଂ ଦେଇଥିଲେ ଆତଙ୍କୀ କମାଣ୍ଡର । ଏହି ଇଫତିକାର ଭଟ୍ଟ ଆଉ କେହି ନୁହେଁ ବରଂ ଭାରତୀୟ ସେନାର ଜଣେ ଅଫିସର ମେଜର ମୋହିତ ଶର୍ମା । ଯିଏ ସିନେମା ଭଳି ବେଶ ବଦଳାଇ ଆତଙ୍କୀ ଆଡ୍ଡାରେ ପଶି ଅପରେସନକୁ ସଫଳ କରିଥିଲେ । ସେ କେବଳ ଦୁଇ ଆତଙ୍କୀଙ୍କୁ ନିପାତ କରିନଥିଲେ ବରଂ ଲସ୍କର ଆଉ ଜୈସ ଟ୍ରେନିଂ କ୍ୟାମ୍ପର ଗୁପ୍ତ ସୂଚନା ନେଇ ଆସିଥିଲେ । ଏହା ଆତଙ୍କୀଙ୍କ ପାଇଁ ଏକ ଶକ୍ତ ଚାପୁଡ଼ା ଥିଲା । ମୋହିତଙ୍କ ଏହି ଷଡ୍ଯନ୍ତ୍ରରେ ଦୋହଲି ଯାଇଥିଲା ପୂରା ଆତଙ୍କୀସ୍ତାନ ।
ମେଜର ମୋହିତ ଶର୍ମା ୧୯୭୮ ମସିହାରେ ହରିୟାଣାରେ ଜନ୍ମ ହୋଇଥିଲେ ହୋଇଥିଲେ । ସେ ଡିପିଏସ ଗାଜିଆବାଦରେ ସ୍କୁଲିଂ କରିବା ପରେ ଆଗକୁ ପାଠ ପଢ଼ିବା ପାଇଁ ମହାରାଷ୍ଟ୍ରର ଇଞ୍ଜିନିୟରିଂ କଲେଜରେ ଭର୍ତ୍ତି ହୋଇଥିଲେ । ଏଠାରୁ ଏସଏସବି କ୍ଲିୟର କରି ଏମଡିଏରେ ଭର୍ତ୍ତି ହୋଇଥିଲେ । ମେଜର ମୋହିତ ଶର୍ମା ଡିସେମ୍ୱର ୧୯୯୯ରେ ଲେପ୍ଟନାଣ୍ଟ ପଦ ପାଇଥିଲେ । ତାଙ୍କର ପ୍ରଥମ ପୋଷ୍ଟିଂ ହାଇଦ୍ରାବାଦରେ ହୋଇଥିଲା । ଏଠାରେ ୩ ବର୍ଷ କାମ କରିବା ପରେ ସେ ସ୍ପେଶାଲ ଫୋର୍ସରେ ଟ୍ରେନିଂ ନେଇଥିଲେ । ଏହାପରେ ସେ ପାରା ସ୍ପେଶାଲ ଫୋର୍ସରେ କମାଣ୍ଡର ଭାବେ ନିଯୁକ୍ତି ପାଇଥିଲେ ।
୨୧ ମାର୍ଚ୍ଚ ୨୦୦୯ରେ କୁପଓ୍ୱାଡା ଗସ୍ତରେ ବାହାରିଥିବା ମେଜର ମୋହିତ ଶର୍ମାଙ୍କ ଉପରେ ନଜର ରଖିଥିଲେ ଆତଙ୍କୀ । ଆଉ କରିଥିଲେ ଅଚାନକ ଆକ୍ରମଣ । ହେଲେ ଏଠାରେ ବି ସେ ସାହସ ଦେଖାଇଥିଲେ । ଆଉ ଦୁଇ ଆତଙ୍କୀଙ୍କୁ ମାରିଥିଲେ । ହେଲେ ଗୋଟେ ଗୁଳି ତାଙ୍କ ଛାତିରେ ବାଜିବାରୁ ସେ ଟଳିପଡ଼ିଥିଲେ । ତଥାପି ସେ ତାଙ୍କ ଟିମକୁ କହୁଥାଆନ୍ତି କାହାକୁ ଛାଡ଼ନି, ସମସ୍ତଙ୍କୁ ମାରିଦିଅ । ଏଭଳି ସାହସ ପାଇଁ ମେଜର ମୋହିତ ଶର୍ମାଙ୍କୁ ମରଣତ୍ତୋର ଅଶୋଚକ୍ରରେ ସମ୍ମାନୀତ କରାଯାଇଥିଲା ।
ଯେତେବେଳେ ଭାରତରେ ରହି ଜ୍ୟୋତି, ମାଧୁରୀଙ୍କ ଭଳି ଗୁପ୍ତଚର ପାକିସ୍ତାନ ପାଇଁ ସିକ୍ରେଟ ଏଜେଣ୍ଟ ସାଜିଛନ୍ତି ଠିକ ସେତିକି ବେଳେ ମନେପଡନ୍ତି ଏହି ସାହସୀ ସେନା । ଦେଶ ମାତୃକା ପାଇଁ ସେ ନିଜ ଜୀବନକୁ ବାଜି ଲଗାଇ ପଶି ଯାଇଥିଲେ ଆତଙ୍କବାଦୀଙ୍କ ଘରେ ଆଉ ଦୋହଲାଇଦେଇଥିଲେ ହିଜବୁଲ୍ଲା, ଲସ୍କର ଆଉ ଜୈସ ଭଳି ଆତଙ୍କୀ କ୍ୟାମ୍ପକୁ ।