କନକ ବ୍ୟୁରୋ : ପ୍ରତିଟି ବାପା,ମା’ଙ୍କ ସ୍ବପ୍ନ ଥାଏ ଯେ ତାଙ୍କ ସନ୍ତାନ ଜୀବନରେ ଅନେକ ଉନ୍ନତି କରନ୍ତୁ । ସଫଳତାର ଶୀର୍ଷରେ ଚଢ଼ନ୍ତୁ । କିନ୍ତୁ ବେଳେବେଳେ ଏହି ସ୍ବପ୍ନ ଅନେକ କାରଣରୁ ଅଧୁରା ରହିଯାଏ । ଆର୍ଥିକ ଅଭାବରୁ ହେଉ କି ଅନ୍ୟ କୌଣସି କାରଣରୁ ସଫଳତାର ସିଡ଼ି ଚଢ଼ିବା ସେତେଟା ସହଜ ହୋଇନଥାଏ । କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଯେ ସଫଳତାକୁ ସ୍ପର୍ଶ କରେ ତାକୁ ହିଁ ସଫଳ ବ୍ୟକ୍ତିତ୍ବ କୁହନ୍ତି । ଆଉ ଏମିତି ହିଁ କିଛି ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବନ୍ଧପଡ଼ା ଗ୍ରାମର ଚାଷୀ ତ୍ରିଲୋଚନ ବେହେରାଙ୍କ ପୁଅ ଜୟପ୍ରକାଶ ବେହେରାଙ୍କ କ୍ଷେତ୍ରରେ । ବିଲରେ ହାଡ଼ଭଙ୍ଗା ପରିଶ୍ରମ କରି ଚାଷୀ ତ୍ରିଲୋଚନ ପୁଅ ଜୟପ୍ରକାଶଙ୍କୁ ପାଠ ପଢ଼ାଇଥିଲେ ଏବଂ ଆଶା ରଖିଥିଲେ ଯେ ପୁଅ ଭଲ ଚାକିରି କରି ଘରର ନାଁ ରଖିବ । ଆଉ ବାପାଙ୍କ ଏହି ସ୍ବପ୍ନକୁ ପୂରଣ କରି ଦେଖାଇଛନ୍ତି ଚଷାପୁଅ ଜୟପ୍ରକାଶ । 

Advertisment

ନାଲିବତୀ ଗାଡ଼ିରେ ନ ଚଢ଼ିଲା ଯାଏଁ ଗାଁକୁ ଆସିବିନି ବୋଲି ବାପାଙ୍କୁ କହିଥିଲେ ଜୟପ୍ରକାଶ । ଆଉ ଓପିଏସସି ପାଇବା ପରେ ସେ ଯେତେବେଳେ ଗାଁକୁ ଫେରିଥିଲେ ପୂରା ଗାଁ ତାଙ୍କୁ ବ୍ୟାଣ୍ଡ,ବାଜା ବଜାଇ ସ୍ବାଗତ କରିଥିଲା । ଜୟପ୍ରକାଶ ଓଡିଶା ଲୋକସେବା ଆୟୋଗ ( ଓପିଏସସି )  2023/24 ପରୀକ୍ଷାରେ 200 ତମ ସ୍ଥାନ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି । ସେ ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଘରକୁ ଫେରିବା ପରେ ଅଞ୍ଚଳବାସୀ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ । ବାଜା ବଜାଇ ବାଣ ଫୁଟାଇ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ଖୋଲା ଗାଡ଼ିରେ ବସାଇ ଶୋଭାଯାତ୍ରା କରି ପଞ୍ଚାୟତ ପରିକ୍ରମା କରିଥିଲେ । ଜଣେ ଚାଷୀ ପରିବାରରୁ ଏତେ ବଡ଼ ସଫଳତା ପାଇଥିବା ପୁଅର ବାଟକୁ ଚାହିଁ ରହିଥିବା ବାପା,ମା’ ଜୟପ୍ରକାଶଙ୍କୁ ପାଖରେ ପାଇ କାନ୍ଦି କାନ୍ଦି ପାଛୋଟି ନେବା ବେଳର ଦୃଶ୍ୟ ଖୁବ୍ ଭାବପୂର୍ଣ୍ଣ ହୋଇଥିଲା । ଓପିଏସସି ପରୀକ୍ଷାରେ ଉତ୍ତିର୍ଣ୍ଣ ହେବାପରେ ଶ୍ରୀ ବଳଦେବଜୀଉ ଚଷା ସଙ୍ଗଠନ ପକ୍ଷରୁ ଜୟପ୍ରକାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଜୟପ୍ରକାଶଙ୍କ ଜନ୍ମ ତ ଚାଷୀ ପରିବାରରେ ହୋଇଥିଲା କିନ୍ତୁ ସେ ପିଲାବେଳୁ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ଆଜି ସଫଳତା ପାଇଛନ୍ତି । ସେ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରୁ +2 ଓ +3 ପାଶ୍ କରିଥିଲେ । ଏହାପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତରରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରିଥିଲେ।