କନକ ବ୍ୟୁରୋ : ଦାରିଦ୍ର୍ୟ ଛଡ଼ାଇ ନେଇଥିଲା ପାଠ ପଢ଼ା । ନବମ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ରାଜିନ୍ଦର ଗୁପ୍ତାଙ୍କର ବନ୍ଦ ହୋଇଗଲା ସ୍କୁଲ୍ ଯିବା । ଘରର ପରିସ୍ଥିତି ଏତେ ଖରାପ ଥିଲା ଯେ ଇଚ୍ଛା ଥାଇ ମଧ୍ୟ ଆଗକୁ ପାଠ ପଢ଼ି ପାରିଲେ ନାହିଁ । ଗରିବୀର ଦାଉ ସିନା ତାଙ୍କୁ ହରାଇ ଦେଇଥିଲା କିନ୍ତୁ ଦୁନିଆ ଆଗରେ ସେ ହାର୍ ମାନି ନଥିଲେ । କିଛି କରିବାର ଦୃଢ଼ ଇଚ୍ଛା ଶକ୍ତି ତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଞ୍ଚାଇଛି ।
ଟ୍ରାଇଡେଣ୍ଟ ଗ୍ରୁପର ପ୍ରତିଷ୍ଠାତା ରାଜିନ୍ଦର ଗୁପ୍ତାଙ୍କ କାହାଣୀ ସଂଘର୍ଷ, ସାହସ ଏବଂ ସଫଳତାର ଏକ ଉଦାହରଣ । ପଞ୍ଜାବର ଏକ ସାଧାରଣ ପରିବାରରେ ଜନ୍ମ ନେଇଥିବା ରାଜିନ୍ଦରଙ୍କ ପରିବାର ଏବଂ ତାଙ୍କ ପୂର୍ବ ପିଢ଼ିରେ କାହାର ବି ବ୍ୟବସାୟ ସହିତ କୌଣସି ସମ୍ପର୍କ ନଥିଲା । ପରିବାରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ କେବଳ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ଖୁବ୍ କମ୍ ବୟସରୁ ସେ ଏକ କମ୍ପାନିରେ କାମ କରିବା ଆରମ୍ଭ କଲେ , ଯାହା ବଦଳରେ ସେ ଦିନକୁ ମାତ୍ର ୩୦ ଟଙ୍କା ପାଉଥିଲେ କିନ୍ତୁ ରାଜିନ୍ଦର କେବେ ହାର ମାନି ନଥିଲେ । ତାଙ୍କର ଲକ୍ଷ୍ୟ ଥିଲା ଜୀବନରେ କିଛି ବଡ଼ କରିବାର ।
ଆଉ ସେହି ଦୃଢ଼ ନିଷ୍ପତ୍ତିର ଫଳାଫଳ ଆଜି ସମସ୍ତଙ୍କ ସାମ୍ନାରେ । ଫୋବର୍ସ ଅନୁଯାୟୀ ସେ ବର୍ତ୍ତମାନ ୧୧ ହଜାର କୋଟି ଟଙ୍କାର ମାଲିକ । ତାଙ୍କ କମ୍ପାନି ଟ୍ରାଇଡେଣ୍ଟ୍ ଗ୍ରୁପର ପ୍ରଡକ୍ଟ ୧୫୦ଟି ଦେଶରେ ରପ୍ତାନି ହେଉଛି । ରାଜେନ୍ଦ୍ର ଗୁପ୍ତା ଆରମ୍ଭରୁ ନିଜର କାମ ନିଜେ କରିବାକୁ ପସନ୍ଦ କରନ୍ତି । କିଛି ବର୍ଷ ଧରି ଛୋଟ ଛୋଟ ଚାକିରି କରିବା ପରେ, ୧୯୮୫ରେ ରାଜିନ୍ଦର ଗୁପ୍ତା ତାଙ୍କର କମ୍ ଜମିବାଡ଼ି ଥିବା ସତ୍ତ୍ୱେ ଏକ ବଡ଼ ପଦକ୍ଷେପ ନେଇଥିଲେ । ସେ ପ୍ରାୟ ୬ କୋଟି ଟଙ୍କା ନିବେଶ କରି 'ଅଭିଷେକ ଇଣ୍ଡଷ୍ଟ୍ରିଜ୍' ନାମକ ଏକ ସାର ବ୍ୟବସାୟ ଆରମ୍ଭ କରିଥିଲେ । ଏହିଠାରୁ ତାଙ୍କର ବିଜିନେସ୍ର ଯାତ୍ରା ଆରମ୍ଭ ହୋଇଥିଲା , ଯାହାକୁ ଆଗକୁ ଯାଇ ଟ୍ରାଇଡେଣ୍ଟ ଗ୍ରୁପରେ ପରିଣତ ହୋଇଥିଲା ।
୧୯୯୧ରେ ରାଜିନ୍ଦର ମିଳିତ ଉଦ୍ୟମରେ ଏକ ସୂତାକଳ ଆରମ୍ଭ କରିଥିଲେ । ତାହା ମଧ୍ୟ ସଫଳ ହେଲା , ଆଗକୁ ଯାଇ ତାଙ୍କର ଏହି ବ୍ୟବସାୟ ବୟନଶିଳ୍ପ, କାଗଜ ଏବଂ ରାସାୟନିକ କ୍ଷେତ୍ରକୁ ବିସ୍ତାର କଲା । ଟ୍ରାଇଡେଣ୍ଟ୍ ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ଏହାର ଉତ୍ପାଦନ କେନ୍ଦ୍ର ସ୍ଥାପନ କଲା ଏବଂ ଉତ୍ତର ଭାରତର ଶିଳ୍ପ ବିକାଶର ପ୍ରତୀକ ପାଲଟିଲା । ଆଜି ଟ୍ରାଇଡେଣ୍ଟ ବିଶ୍ୱବ୍ୟାପୀ ଘରୋଇ ବୟନଶିଳ୍ପ ଏବଂ କାଗଜ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନି । ଟ୍ରାଇଡେଣ୍ଟର ତଉଲିଆ ଏବଂ ବେଡସିଟ୍ ଏହାର ସର୍ବାଧିକ ବିକ୍ରି ହେଉଥିବା ଉତ୍ପାଦ ମଧ୍ୟରେ ଅନ୍ତର୍ଭୁକ୍ତ ।
ଟ୍ରାଇଡେଣ୍ଟର କମ୍ପାନିଗୁଡ଼ିକ ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ଅଛି । ଆଜି, ଟ୍ରାଇଡେଣ୍ଟ ଗ୍ରୁପ୍ର ଗ୍ରାହକମାନଙ୍କ ମଧ୍ୟରେ JCPenney, Walmart ଏବଂ Luxury & Linen ଭଳି ବଡ଼ ବଡ଼ ନାମ ଅନ୍ତର୍ଭୁକ୍ତ । ଏସବୁ ବିଶ୍ୱ ସ୍ତରରେ ଶ୍ରେଷ୍ଠ ୫ଟି ଟେରି ଟାୱେଲ୍ ନିର୍ମାତାଙ୍କ ମଧ୍ୟରେ ଅନ୍ୟତମ ।
ସେଲ୍ଫ ମେଡ୍ ବିଜିନେସ୍ ଟାଇକୁନ୍ ରାଜିନ୍ଦର ଗୁପ୍ତାଙ୍କ ସଫଳତା ଲକ୍ଷ ଲକ୍ଷ ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା । ତାଙ୍କ ସଫଳତା ପଞ୍ଜାବର ବିଜିନେସ୍ ସ୍କୁଲରେ କେସ୍ ଷ୍ଟଡି ଭାବରେ ମଧ୍ୟ ପଢ଼ାଯାଏ ।