କନକ ବ୍ୟୁରୋ : ରକ୍ତର ସମ୍ପର୍କ ନୁହେଁ, ହୃଦୟର ବନ୍ଧନ...ବନ୍ଧୁତା । ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଅନୁଭବ..ଯାହା ହୃଦୟରୁ ହୃଦୟକୁ ଯୋଡ଼ିଥାଏ । ସିଏ ହିଁ ପ୍ରକୃତ ବନ୍ଧୁ ଯାହାର ହୃଦୟରେ କୌଣସି ଛନ୍ଦ କପଟ ନଥାଏ । ବିପଦ ସମୟରେ ଢାଲ ପରି ଠିଆ ହେଉଥିବା ଏବଂ ଖୁସିରେ ସାମିଲ ହେଉଥିବା ବନ୍ଧୁ ହିଁ ଜୀବନର ପ୍ରକୃତ ସମ୍ପଦ ।
ନିଃସ୍ୱାର୍ଥପର ବନ୍ଧୁତା ମାନସିକ ସ୍ୱାସ୍ଥ୍ୟ ପାଇଁ ମେଡିସିନ୍ ପରି କାମ କରେ । ଯେଉଁ ବନ୍ଧୁତାରେ ଈର୍ଷାର କୌଣସି ସ୍ଥାନ ନଥାଏ ଏବଂ ଜଣଙ୍କ ଖୁସିରେ ଅନ୍ୟଜଣେ ଆନନ୍ଦିତ ହୁଏ, ତାହା ହିଁ ଏକ ସୁସ୍ଥ ସମ୍ପର୍କର ପରିଚୟ । ନିଜ ପରିବାର ପରେ ଦ୍ୱିତୀୟ ପରିବାର ହେଉଛି ହେଛି ବନ୍ଧୁତା । ବନ୍ଧୁ ଏପରି ହେବା ଦରକାର ଯାହାକୁ କିଛି କହିବା ପୂର୍ବରୁ ଟିକିଏ ବି ଭାବିବାକୁ ପଡ଼େ ନାହିଁ । ଯାହା ସାମ୍ନାରେ ହସିବା ପୂର୍ବରୁ କେବେ ଚିନ୍ତା କରିବାକୁ ପଡ଼େ ନାହିଁ, କାନ୍ଦିବା ପୂର୍ବରୁ ବିଚାରଶୀଳ ହେବାକୁ ପଡ଼େ ନାହିଁ । ଆଜିର ସ୍ୱାର୍ଥପର ଦୁନିଆରେ ଗୋଟିଏ ନିଃସ୍ୱାର୍ଥପର ଏବଂ ନିଛକ ବନ୍ଧନ ପାଇବା ଜୀବନର ସବୁଠାରୁ ବଡ଼ ଆଶୀର୍ବାଦ । ଯେଉଁଠି ନିଜକୁ ପ୍ରକାଶ କରିବାକୁ କୌଣସି ସଙ୍କୋଚ ନଥାଏ, ଯେଉଁଠି ହସ ଏବଂ ଲୁହ ଉଭୟଙ୍କର ସମ୍ମାନ ଥାଏ , ତାହା ହିଁ ପ୍ରକୃତ ବନ୍ଧୁତାର ପରିଚୟ ।
ଆଧୁନିକ ଜୀବନଶୈଳୀରେ ବନ୍ଧୁତାର ପରିଭାଷା ବଦଳିଥିଲେ ମଧ୍ୟ ଏହାର ମହତ୍ତ୍ୱ ଆଜି ବି ଅତୁଟ ରହିଛି । ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏପରି ବନ୍ଧୁ ରଖିଥିବେ ନିଶ୍ଚୟ , ଯାହାଙ୍କୁ ନେଇ ଆପଣ ସର୍ବଦା ଗର୍ବ କରୁଥିବେ । ତାଙ୍କ ଖୁସିରେ ଖୁସି ହେଉଥିବେ..ତାଙ୍କ ଦୁଃଖରେ ଦୁଃଖୀ ହେଉଥିବେ । ଯେଉଁଠି ଈର୍ଷାର କୌଣସି ସ୍ଥାନ ନଥିବ । କନକ ନ୍ୟୁଜ୍ ତରଫରୁ ଅନ୍ତର୍ଜାତୀୟ ବନ୍ଧୁତା ଦିବସରେ ଅନେକ ଅନେକ ଶୁଭେଚ୍ଛା ।