କନକ ବ୍ୟୁରୋ : ଖେଳ ଖେଳରୁ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରରେ । ବିହାରର ବେଗୁସରାଇରେ ଫ୍ରି-ଫାୟାର ଗେମ୍ ଖେଳୁଥିବା ସମୟରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ରାହୁଲଙ୍କୁ କରାଯାଇଥିଲା ହତ୍ୟା । ସେହି ହତ୍ୟା ମାମଲାରେ ପୋଲିସ ୩ ନାବାଳକଙ୍କ ସମେତ ୫ ଯୁବକଙ୍କୁ ବନ୍ଧୁକ ସହିତ ଗିରଫ କରିଛି । ଗିରଫ ଯୁବକମାନଙ୍କଠାରୁ ପୋଲିସ ଗୋଟିଏ ପିସ୍ତଲ ଏବଂ ଦୁଇଟି ଗୁଳି ଜବତ କରିଛି ।
ପୋଲିସର ସୂଚନା ମୁତାବକ ଫେବୃଆରୀ ୧ ତାରିଖ ଅପରାହ୍ନରେ ୬ ଜଣ ସାଙ୍ଗ ମିଶି ଫୁଲୱାରିଆ ଥାନା ଅଞ୍ଚଳର ବାରୋଭିଟ୍ଟା ଗାଁରେ ଫ୍ରି-ଫାୟାର ଗେମ୍ ଖେଳୁଥିଲେ । ସେହି ଫ୍ରି-ଫାୟାର ଖେଳରୁ ଶିଖି ରାହୁଲକୁ ହତ୍ୟା କରିଥିଲେ । ମୃତକଙ୍କ ପିତା ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା ।
ଖବର ପାଇ ଘଟଣା ସ୍ଥଳରେ ପୋଲିସର ପୁରା ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ ପରେ ହତ୍ୟାରେ ସାମିଲଥିବା ରାହୁଲର ୫ ଜଣ ସାଙ୍ଗକୁ ବନ୍ଧୁକ ସହ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ମଧ୍ୟ ଅଛନ୍ତି । ଗିରଫ ପରେ ୫ ଜଣ ନିଜର ଦୋଷ ସ୍ୱୀକାର କରିଛନ୍ତି । ତେବେ,ଏଠାରେ ପ୍ରଶ୍ନ ଉଠେ ସ୍କୁଲ ଯାଇ ପାଠ ପଢୁଥିବା ଛାତ୍ରମାନଙ୍କ ପାଖରେ ବନ୍ଧୁକ ଆସିଲା କେଉଁଠୁ ?