କନକ ବ୍ୟୁରୋ: ସାଙ୍ଗ ପାଇଁ ହାତପାତିଲେ ସାଙ୍ଗ। ଏକାଠି ବସୁଥିଲେ। ସାଙ୍ଗହୋଇ ଖେଳୁଥିଲେ। ଦଇବର ନୀତି ବଡ଼ବିଚିତ୍ର । ଜଣେ ସାଙ୍ଗ ଏବେ ଜୀବନମରଣ ସହ ମେଡିକାଲରେ ସଂଗ୍ରାମ କରୁଛି। ଏପଟେ ସାଙ୍ଗମାନେ ତାଙ୍କ ପାଇଁ ଅଣ୍ଟା ଭିଡିଛନ୍ତି। ତାଙ୍କୁ ମରଣ ମୁହଁରୁ ଫେରାଇ ଆଣିବା ପାଇଁ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଖରୁ ଆର୍ଥିକ ସାହାଯ୍ୟ ଲୋଡୁଛନ୍ତି। ଆଉ ଭରସା ରଖିଛନ୍ତି ସହଯୋଗ ମିଳିବ, ସାଙ୍ଗ ସୁସ୍ଥ ହୋଇ ଫେରିବ। ପୂର୍ବପରି ତାଙ୍କ ସହ ବୁଲାବୁଲି କରିବ।
ବନ୍ଧୁଙ୍କ ଜୀବନ ଭିକ୍ଷା କରୁଛନ୍ତି ବନ୍ଧୁ। ସାଙ୍ଗ ପାଇଁ ସାହାଯ୍ୟ ମାଗୁଛନ୍ତି ସାଙ୍ଗ। ଏଭଳି ଏକ ଖବର ଆସିଛି କଟକ କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବରାହିପୁର ଗାଁରୁ। ଗାଁର ନରେନ୍ଦ୍ର କୁମାର ଜେନା। ବାପା ମା, ସ୍ତ୍ରୀ ଓ ଗୋଟିଏ ପିଲାକୁ ତାଙ୍କ ସଂସାର। ନରେନ୍ଦ୍ର ରୋଜଗାର କଲେ ପରିବାର ଚଳେ। ହେଲେ ପ୍ରାୟ ଦେଢବର୍ଷ ହେବ ସେ ରକ୍ତ କର୍କଟ ରୋଗରେ ପୀଡିତ । ଦିଲ୍ଲୀ ସ୍ଥିତ ଏମ୍ସ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ପୁଅ ପାଇଁ ଜମିବାଡ଼ି ବିକି ସାରିଲେଣି ପରିବାର। ବାପା-ମାଆ ସର୍ବସ୍ୱ ହରାଇବା ପରେ ଆଗକୁ ଆସିଛନ୍ତି ସାଙ୍ଗ।
ନରେନ୍ଦ୍ରଙ୍କ ବିପତ୍ତି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି ସାଙ୍ଗମାନେ। ନିଜ ସାଧ୍ୟ ଅନୁସାରେ ଆର୍ଥିକ ସାହାଯ୍ୟ କରିବା ସହ ଅନ୍ୟପାଖରେ ହାତ ପାତୁଛନ୍ତି। ବ୍ୟବସାୟିକ ଅନୁଷ୍ଠାନ ଠାରୁ ଆରମ୍ଭ କରି ଵିଭିନ୍ନ ବଦାନ୍ୟ ବ୍ୟକ୍ତି ଓ ସରକାରୀ କାର୍ୟ୍ୟାଳୟ ପକ୍ଷରୁ ସାହାଯ୍ୟ ମିଳୁଛି। ସଂଗୃହିତ ଅର୍ଥ ତୁରନ୍ତ ନରେନ୍ଦ୍ରଙ୍କ ଚିକିତ୍ସା ପାଇଁ ପଠାଇ ଦିଆଯାଉଛି।
ନରେନ୍ଦ୍ରଙ୍କ ଆରୋଗ୍ୟ ପାଇଁ ଅଧିକ ଅର୍ଥ ଆବଶ୍ୟକ। ସରକାରଙ୍କ ବିଭିନ୍ନ ରିଲିଫ ପାଣ୍ଠିରୁ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।