କନକ ବ୍ୟୁରୋ : ମହାଶିବରାତ୍ରୀ ପାଇଁ ଚଳଚଂଚଳ ସମସ୍ତ ଶୈବପୀଠ। ଓଁ ନମଃ ଶିବାୟ ମନ୍ତ୍ରରେ କମ୍ପୁଛି ସାରାଜଗତ। ଏହାରି ଭିତରେ ଢ଼େଙ୍କାନାଳର କପିଳାଶ ପୀଠ ଓ ଏକାମ୍ର କ୍ଷେତ୍ର ଲିଙ୍ଗରାଜରୁ ଆସିଛି ଚିନ୍ତାଜନକ ଖବର। ଆଜି ବି ଉଭୟ ସ୍ଥାନରେ ସେବାୟତଙ୍କ ବିବାଦରୁ ବାଧାପ୍ରାପ୍ତ ହୋଇଛି ଭୋଳାନାଥଙ୍କ ପୂଜା।
ମକର ସଂକ୍ରାନ୍ତିରେ ପ୍ରଭୁ ଲିଙ୍ଗରାଜ ଉପାସ ରହିବା ଖବର ମନରୁ ନଯାଉଣୁ, ଜାଗରରେ ଦେଖିବାକୁ ମିଳିଛି ସମାନ ସ୍ଥିତି। ମହାଶିବରାତ୍ରୀ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭିଡ ଜମାଇଥିବାବେଳେ ମୁହାଁମୁହିଁ ହୋଇଛନ୍ତି ସେବାୟତ ଓ ପୁଲିସ। ସେବାୟତଙ୍କ ପରିବାର ଲୋକଙ୍କୁ ଅଟକାଇବାକୁ ନେଇ ଉତେଜନାଜନାମୂଳକ ପରିସ୍ଥିତି ଉପୁଜିଥିଲା। ପୁଲିସ ଓ ସେବାୟତ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏପରିକି ଜଣେ ଆହତ ହୋଇଥିବା ସୂଚନା ମିଳିଛି। ବିବାଦ ଯୋଗୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବିଳମ୍ବ ହୋଇଥିଲା।
ଅଧିକ ପଢ଼ନ୍ତୁ : ମହାଦେବଙ୍କ ଏପରି ଏକ ଅଲୌକିକ ମନ୍ଦିର ଯାହା ବର୍ଷରେ ଥରେ ମାତ୍ର ମହାଶିବରାତ୍ରି ଦିନ ଭକ୍ତଙ୍କ ପାଇଁ ଖୋଲିଥାଏ ।
ଲିଙ୍ଗରାଜ ଭଳି ଢ଼ୋଙ୍କାନାଳ କପିଳାଶ ସ୍ଥିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠରେ ପୂଜା ଓ ନୀତିକାନ୍ତି ପ୍ରଭାବିତ ହୋଇଛି। ପୁଲିସର ମନମାନି ଓ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପୂଜା ଓ ନୀତିକାନ୍ତି ବନ୍ଦ କରି ଦେଇଥିଲେ ସେବାୟତ। ଜାଗର ଭଳି ଦିନରେ ଘଣ୍ଟା ଘଣ୍ଟା ଧରି ଉପାସ ରହିଥିଲେ ପ୍ରଭୁ ଚନ୍ଦ୍ରଶେଖର। ଉତେଜନା ବଢ଼ୁଥିବାବେଳେ ଉପଜିଲ୍ଲାପାଳ ପହଁଚି କ୍ଷମା ମାଗିବାରୁ ସ୍ଥିତି ସ୍ବାଭାବିକ ଥିଲା।
ଶିବରାତ୍ରୀରେ ଶିବଙ୍କ ନୀତିକାନ୍ତି ବନ୍ଦ ହେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସଂସ୍କୃତି ଗବେଷକ । ବାରମ୍ବାର ଠାକୁରଙ୍କ ସହ ଏଭଳି ଖେଳକୁ ନେଇ ଶ୍ରଦ୍ଧାଳୁଙ୍କ ଭିତରେ ବି ବଢ଼ିବାରେ ଲାଗିଛି ଅସନ୍ତୋଷ। ଏବେ ଅପେକ୍ଷାରେ କେବେ ଶେଷ ହେବ ସେବାୟତ ବିବାଦ? କେବେ ବାହାରିବ ସ୍ଥାୟୀ ସମାଧାନର ବାଟ?
Follow Us