କନକ ବ୍ୟୁରୋ : ପାଠପଢ଼ା ସହ ନିଯୁକ୍ତି ଦେବା ନାଁରେ କୋଟିଏ ଟଙ୍କାର ଠକେଇ ଅଭିଯୋଗ । ପିଲାଙ୍କ ନାମଲେଖା ପରେ ଟଙ୍କା ନେଇ ଫେରାର ହୋଇଗଲା ଘରୋଇ ଇ-ଲର୍ଣ୍ଣିଂ ସଂସ୍ଥା ‘ସୁଦୀକ୍ଷା’ କେନ୍ଦ୍ରାପଡ଼ା ଗରଦପୁର ଅଞ୍ଚଳରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ଭୁବନେଶ୍ୱର ଡୁମଡୁମା ଅଞ୍ଚଳର ଏହି ସଂସ୍ଥା ପାଠପଢ଼ା ନାଁରେ ଗରଦପୁର ବ୍ଲକର ୧୮ଟି ପଞ୍ଚାୟତର ଲୋକଙ୍କଠାରୁ ଟଙ୍କା ଠକିନେଇଥିବା ଅଭିଯୋଗ ହେଇଛି ।

ସଂସ୍ଥାପକ୍ଷରୁ ପିଲାଙ୍କ ଶିକ୍ଷାଦାନ ପାଇଁ ମହିଳାଙ୍କୁ ନିଯୁକ୍ତି ଦିଆଯାଇଥିଲା ପ୍ରଥମରୁ ନିମ୍ନ ଶ୍ରେଣୀର ପିଲାମାନଙ୍କ ନାମଲେଖା ପାଇଁ ୩,୯୯୯ ଓ ଉଚ୍ଚ ଶ୍ରେଣୀର ପିଲାମାନଙ୍କ ପାଇଁ ୪,୯୯୯ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ମହିଳାମାନେ ଘରଘର ବୁଲି ଛାତ୍ରଛାତ୍ରୀ ଯୋଗାଡ଼ କରିଥିଲେ । କିନ୍ତୁ ପିଲାଙ୍କ ନାମଲେଖା ଟଙ୍କା ନେଇ ଫେରାର ହୋଇଯାଇଛି ଏହି ସଂସ୍ଥା । ଏବେ ନିଯୁକ୍ତି ପାଇଥିବା ମହିଳାମାନଙ୍କୁ ନିଜ ଟଙ୍କା ମାଗୁଛନ୍ତି ଅଭିଭାବକ ।

ଠକେଇ ପରେ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏକାଠି ହୋଇଛନ୍ତି ମହିଳା । ଏନେଇ ପାଟକୁରା ଓ କୁଦାନଗରୀ ଥାନାରେ ଏତଲା ଦିଆଯାଇଛି । ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟି ନ୍ୟାୟ ପାଇଁ ଦାବି କରିଛନ୍ତି ଠକାମୀର ଶକାର ହୋଇଥିବା ମହିଳା । ତେବେ ଏହି ସଂସ୍ଥା ଭୁବନେଶ୍ୱର ଡୁମଡୁମା ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ସଂସ୍ଥାର ମାଲିକଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି ।

ପାଠପଢ଼ା ନାଁରେ ଟଙ୍କା ଠକେଇ ହୋଇଥିବା ବେଳେ ପିଲାଙ୍କ ଭବିଷ୍ୟତ ସହ ମଧ୍ୟ ଖେଳ ଖେଳାଯାଇଛି । ତେଣୁ ଘରୋଇ ସଂସ୍ଥା ‘ସୁଦୀକ୍ଷା’ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ସହ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିବାକୁ ଦାବି ହୋଇଛି ।