କନକ ବ୍ୟୁରୋ : ଦେଶରେ ଥମୁନି ଡିଜିଟାଲ୍‌ ଆରେଷ୍ଟ ଘଟଣା । ବ୍ୟାପକ ସଚେତନତା ସତ୍ତ୍ୱେ ସାଇବର ଲୁଟେରା ନିରୀହ ଲୋକଙ୍କୁ ଟାର୍ଗେଟ କରି ଡିଜିଟାଲ୍‌ ଆରେଷ୍ଟ ଜାଲରେ ଫସାଇବାରେ ସଫଳ ହେଉଛନ୍ତି । ମାଲକାନଗିରି ଜିଲ୍ଲାରେ ଜଣେ ଶିକ୍ଷକ ଠକେଇର ଶିକାର ହୋଇଛନ୍ତି । ମୁମ୍ବାଇ ପୁଲିସର ପରିଚୟ ଦେଇ ଠକେଇ କରୁଥିବା ଡିଜିଟାଲ୍‌ ଆରେଷ୍ଟ ଗ୍ୟାଙ୍ଗର ୩ ସାଇବର ଲୁଟେରାଙ୍କୁ ରାଜସ୍ଥାନରୁ ଗିରଫ କରିଛି ମାଲକାନଗିରି ପୁଲିସ ।

Advertisment

କିଛି ଜଣ ରାଜସ୍ଥାନରେ ରହି ପ୍ରସ୍ତୁତ କରୁଥିଲେ ସାଇବର ଲୁଟ୍‌ ପ୍ଲାନ୍‌ । ନିଜକୁ ମୁମ୍ବାଇ ପୁଲିସ ଅଧିକାରୀ ପରିଚୟ ଦେଇ ମାଲକାନଗିରିର ଅଶୋକ ତ୍ରିପାଠୀଙ୍କୁ ଫସାଇ ଦେଇଛନ୍ତି । ପୁଲିସ ବେଶରେ ଭିଡିଓ କଲ୍‌ କରୁଥିଲେ । ଅଶୋକଙ୍କ ମୋବାଇଲ ଫୋନ୍‌ ନଂରେ ୧୭ଟି ମାମଲା ଓ ଆଧାର କାର୍ଡରେ ମନି ଲଣ୍ଡରିଂ ମାମଲା ଥିବା କହି ଯୋଗାଯୋଗ କରିଥିଲେ । ଏମିତି କି ନକଲି ଇଡି ଓ ସୁପ୍ରିମ୍‌କୋର୍ଟ ନୋଟିସ୍‌ ମଧ୍ୟ ପଠାଇଥିଲେ । ଏସବୁ ସଙ୍ଗୀନ ମାମଲାର ରଫାଦଫା ପାଇଁ ସାଢ଼େ ୬ଲକ୍ଷ ଟଙ୍କା ମାଗିଥିଲେ । ଭୟରେ ଶିକ୍ଷକ ଜଣକ ୨ଟି କିସ୍ତିରେ ବ୍ୟାଙ୍କ୍‌ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ । ପରବର୍ତ୍ତୀ ସମୟରେ ସନ୍ଦେହ ହେବାରୁ ମାଲକାନଗିରି ପୁଲିସକୁ ଜଣାଇଥିଲେ ।

ଡିଜିଟାଲ ଆରେଷ୍ଟ ମାମଲାରେ ସାଇବର ଲୁଟେରାମାନେ ଇଡି, ସିବିଆଇ ଓ କଷ୍ଟମ୍ ବିଭାଗ କଥା କହି ଭୟଭୀତ କରାଇଥାନ୍ତି । ଯାହାକୁ ଟାର୍ଗେଟ୍‌ କରନ୍ତି ତାଙ୍କ ମୋବାଇଲ କିମ୍ବା ଆଧାର କାର୍ଡ ଜରିଆରେ ମାମଲା ରୁଜୁ ହୋଇଥିବା କୁହନ୍ତି । ତୁରନ୍ତ ଗିରଫଦାରୀ କଥା କୁହି, ମୁକୁଳିବା ପାଇଁ ମୋଟା ଅଙ୍କ ଦାବି କରିଥାନ୍ତି । ଆଉ ଭୟରେ ନିରୀହ ଲୋକମାନେ ସାଇବର ଲୁଟେରାଙ୍କ ଜାଲରେ ପଡିଯା'ନ୍ତି । 

ଅଶୋକ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ଖୋଳତାଡ଼ ଆରମ୍ଭ କରିଥିଲା ମାଲକାନଗିରି ପୁଲିସ । ରାଜସ୍ଥାନର ମୁକେଶ, ସୁରେନ୍ଦ୍ର ଓ ନରେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସାଇବର ଅପରାଧକୁ ରୋକିବା ଲାଗି ପ୍ରତିଟି ମୋବାଇଲ ଫୋନରେ ହାଲୋ ଟ୍ୟୁନ ସାଙ୍ଗକୁ ନାନା ପ୍ରକାର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ତଥାପି ସାଇବର ଲୁଟାରାଙ୍କ ଜାଲରେ ପଡି ସର୍ବସ୍ୱାନ୍ତ ହେଉଛନ୍ତି ନିରୀହ ଲୋକ ।