କନକ ବ୍ୟୁରୋ: ଯୁଦ୍ଧ କ୍ଷତିଗ୍ରସ୍ତ ପାଲେଷ୍ଟାଇନ୍ର ବଳ ବଢ଼ାଇବ ଫ୍ରାନ୍ସ । ଖୁବଶୀଘ୍ର ପାଲେଷ୍ଟାଇନ୍କୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଘୋଷଣା । ନାଟୋର ସହଯୋଗୀ ଦେଶ ଫ୍ରାନ୍ସ ବଡ଼ ପଦକ୍ଷେପ ନେବାକୁ ଘୋଷଣା କରିଛି । ପାଲେଷ୍ଟାଇନକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ସେପ୍ଟେମ୍ବରରେ ମିଳିତ ଜାତିସଂଘ ମହାସଭାରେ ଔପଚାରିକ ଭାବେ ଘୋଷଣା କରିବେ । ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଫ୍ରାନ୍ସର ଏହି ନିଷ୍ପତ୍ତି ନାଟୋରେ ଫାଟକୁ ଦର୍ଶାଉଛି । ଗାଜା ଉପରେ ଆକ୍ରମଣକୁ ପୂର୍ବରୁ ଫ୍ରାନ୍ସ ସମର୍ଥନ କରୁଥିଲା ।
ତେବେ ହଠାତ୍ ମନ ବଦଳାଇବା ପଛର କାରଣ, ଯୁଦ୍ଧରେ ନିରୀହ ଲୋକଙ୍କ ମୃତ୍ୟୁ, କ୍ଷୁଧାଜନିତ ପ୍ରାଣହାନି ବୋଲି ମାକ୍ରୋନ କହିଛନ୍ତି । ଅନ୍ୟପଟେ ଫ୍ରାନ୍ସକୁ ବ୍ରିଟେନ୍ ଓ ଜର୍ମାନୀ ସମର୍ଥନ ଦେବା ପାଇଁ ଆଗେଇ ଆସିଛନ୍ତି। ଯାହା ନାଟୋ ଓ ଆମେରିକାକୁ ବଡ଼ ଝଟକା ହୋଇପାରେ । ଯଦି ସେପ୍ଟେମ୍ବରେ ପାଲେଷ୍ଟାଇନକୁ ଫ୍ରାନ୍ସ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦିଏ, ତେବେ ମୋଟ୍ ୧୪୭ ସମର୍ଥନ ପାଇବ ପାଲେଷ୍ଟାଇନ । ନାଟୋର ଜଣେ ଶକ୍ତିଶାଳୀ ଦେଶ ଭାବେ ଫ୍ରାନ୍ସର ଏହି ପଦକ୍ଷେପ ଆମେରିକା ଓ ଇସ୍ରାଏଲର ନିଦ ହଜାଇପାରେ। ତେଣୁ ଫ୍ରାନ୍ସର ଘୋଷଣାକୁ କଡ଼ା ନିନ୍ଦା କରିଛନ୍ତି ଉଭୟ ଦେଶ । ୨୦୨୩ରୁ ଆକ୍ରମଣ କରି ପାଲେଷ୍ଟାଇନକୁ ଛାରଖାର କରିସାରିଛି ଇସ୍ରାଏଲ । ବିଭିନ୍ନ ରାଷ୍ଟ୍ରର ଅପିଲ ସତ୍ତ୍ୱେ ଆକ୍ରମଣ ରୋକୁନି । ଆକ୍ରମଣ ଓ ପ୍ରତିଆକ୍ରମଣରେ ନିରୀହଙ୍କ ଜୀବନ ଯାଉଛି । ଯାହା ପାଇଁ ସାରା ବିଶ୍ବ ଓ ମିଳିତ ଜାତିସଂଘ ଉଦବେଗ ପ୍ରକାଶ କରୁଛନ୍ତି । ଏଥିରୁ ନିବୃତ୍ତ ରହିବାକୁ ଅପିଲ କରିବା ସତ୍ତ୍ୱେ କାହାରି କଥା ଶୁଣୁନି ଇସ୍ରାଏଲ । ଆପୋସ ବୁଝାମଣା ଓ ଆଲୋଚନାରେ ଯୁଦ୍ଧ ରୋକିବାକୁ ପରାମର୍ଶ ଦିଆଯାଉଥିଲେ ବି ଇସ୍ରାଏଲ ଜୋରଦାର ଆକ୍ରମଣ କରୁଛି ।