କନକ ବ୍ୟୁରୋ : ଏବର୍ଷ ବାଲେଶ୍ବରବାସୀଙ୍କ ପାଇଁ ଦୁଃଖ ଆଣିଛି ସୁବର୍ଣ୍ଣରେଖା । ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ପ୍ରଭାବିତ ହୋଇଛି ବାଲିଆପାଳ ଓ ଭୋଗରାଇ ବ୍ଲକ । ଏହି ଦୁଇ ବ୍ଲକର ୮୦ରୁ ଅଧିକ ଗାଁରେ ପଶିଛି ବନ୍ୟାପାଣି । ରାତି ଅଧରେ ହଠାତ୍ ପାଣି ମାଡ଼ି ଆସିବାରୁ ଭୋଗରାଇ କୁମ୍ଭୀରଗଡ଼ି ପଞ୍ଚାୟତର ୫ଟି ନଈକୂଳିଆ ଗାଁ ଜଳବନ୍ଦୀ ହୋଇରହିଛି । ଅଣ୍ଟେ ପାଣିରେ ପଶି ଯାଆସ କରୁଛନ୍ତି ଛୋଟ ପିଲା, ମହିଳା ଓ ଗାଈ ଗୋରୁ । ନୀଳଗିରି ବ୍ଲକ ଦ୍ବାରିକାଶୁଣି ଅଞ୍ଚଳର ଦୃଶ୍ୟ ଦେଖିଲେ ଦୁଃଖ ଲାଗିବ । ଲଗାଣ ବର୍ଷାରେ ଭାଙ୍ଗିଯାଇଛି କେନାଲର ଆଡ଼ିବନ୍ଧ । ବିଲରେ ମାଡ଼ିଯାଇଛି ୩ ଫୁଟ ଉଚ୍ଚର ମାଟି । ନଷ୍ଟ ହୋଇଯାଇଛି ଚାଷ । 
ବ୍ରାହ୍ମଣୀ ଓ କାଣି ନଦୀରେ ବନ୍ୟା
ବ୍ରାହ୍ମଣୀ ଓ କାଣି ନଦୀରେ ବନ୍ୟା ପାଣି ଆସିବା ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାର ୨ଟି ବ୍ଲକ ରାଜନଗର ଓ ପଟ୍ଟାମୁଣ୍ଡାଇ ଜଳମଗ୍ନ ହୋଇଛି । ପାଣିଘେରରେ ରହିଛି ରାଜନଗର ବ୍ଲକର ପ୍ରାୟ ୩୦ଟି ଗାଁ । ସର୍ବାଧିକ ପ୍ରଭାବିତ ହୋଇଛି ରାଜନଗର ବ୍ଲକର ଓସ୍ତିଆ, ରାଜପୁର ଓ ଚନ୍ଦନପୁର ପଞ୍ଚାୟତ । ସେହିପରି କାଣି ନଦୀରେ ବନ୍ୟା ଆସିବାରୁ ପଟ୍ଟାମୁଣ୍ଡାଇର ୪ଟି ପଞ୍ଚାୟତରେ ପାଣି ପଶିଛି । ପଟ୍ଟାମୁଣ୍ଡାଇର ବଳଭଦ୍ରପୁର ଓ ଶ୍ରୀରାମପୁର ପଞ୍ଚାୟତ ଏବଂ ସିଂହଗାଁ ସବୁଠୁ ବେଶି ପ୍ରଭାବିତ ହୋଇଛି । ଏ ଦୃଶ୍ୟ ରାଜନଗର ବନ୍ଧପଡ଼ା ପଞ୍ଚାୟତର ଦାଣ୍ଡିଗାଁର । ଅଣ୍ଟେ ଉଚ୍ଚର ପାଣିରେ ଟ୍ରାକ୍ଟରରେ ବସି ଯିବାଆସିବା କରୁଛନ୍ତି ଲୋକେ । ଲୋକେ ଯେକୌଣସି କାମରେ ଘରୁ ବାହାରିଲେ ଏଇ ଟ୍ରାକ୍ଟର ହିଁ ଭରସା । ବାଲେଶ୍ବରରେ ସୁବର୍ଣ୍ଣରେଖା ଏବଂ କେନ୍ଦ୍ରାପଡ଼ାରେ ବ୍ରାହ୍ମଣୀ ନଦୀର ବନ୍ୟା ପାଣି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଭାଙ୍ଗିଛି ଲୋକଙ୍କ ଘରଦ୍ବାର, ଉଜୁଡ଼ି ଯାଇଛି ହେକ୍ଟର ହେକ୍ଟର ଫସଲ ।