odisha------- Photograph: (kanakNews)
କନକ ବ୍ୟୁରୋ: ଖୁବଶୀଘ୍ର ପୂରଣ ହେବ ଖାଲି ପଡ଼ିଥିବା ମୁଖ୍ୟ ସୂଚନା କମିଶନର ସମେତ ୪ ପଦବୀ । ପ୍ରାର୍ଥୀ ଚୟନ ପାଇଁ ରାଜ୍ୟ ସରକାର ଗଠନ କଲେ ଉଚ୍ଚସ୍ତରୀୟ ଯାଞ୍ଚ କମିଟି । ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ସାମ୍ବାଦିକ ଏବଂ ପୂର୍ବତନ ବିଧାୟକ ।
ରାଜ୍ୟ ସୂଚନା ଆୟୋଗରେ ଖାଲି ପଡ଼ିଥିବା ମୁଖ୍ୟ ସୂଚନା କମିଶନର ଓ ୪ ସୂଚନା କମିଶନର ପାଇଁ ହୋଇଥିବା ଆବେଦନ ତାଲିକା ପ୍ରକାଶ ପାଇଛି । ରାଜ୍ୟରେ ପ୍ରଥମଥର ପାଇଁ ଆବେଦନକାରୀଙ୍କ ତାଲିକାକୁ ସରକାର ସାର୍ବଜନୀନ କରିଛନ୍ତି । କେଉଁ କାରଣରୁ ଆବେଦନ ତାଲିକା ସାର୍ବଜନୀନ କରାଗଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗତବର୍ଷ ଅକ୍ଟୋବର ୩ତାରିଖରେ ରାଜ୍ୟ ସରକାର ମୁଖ୍ୟ ସୂଚନା କମିଶନର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ନଭେମ୍ବର ୨ ତାରିଖ ସୁଦ୍ଧା ଆବେଦନପତ୍ର ପଠାଇବା ଲାଗି କୁହାଯାଇଥିଲା, ଏହି ଅବଧି ମଧ୍ୟରେ ୪୩ଜଣ ଆବେଦନ କରିଥିଲେ । ଅବଧି ସରିବା ପରେ ଆଉ ୪ଜଣ ଆବେଦନ କରିଥିବା ଜଣାପଡିଛି ।
ସେହିପରି ୪ ସୂଚନା କମିଶନର ପଦବୀ ପାଇଁ ରାଜ୍ୟ ସରକାର ନଭେମ୍ବର ୧୯ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଡିସେମ୍ବର ୨୪ ତାରିଖ ସୁଦ୍ଧା ଆବେଦନର ଶେଷ ତାରିଖ ରହିଥିଲା । ଏହି ସମୟ ମଧ୍ୟରେ ୧୭୯ ଜଣ ଓ ଅବଧି ପରେ ଆଉ ୪ଜଣ ଆବେଦନ କରିଥିବା ଜଣାପଡିଛି। ଅନ୍ୟପକ୍ଷେ ଖାଲିଥିବା ମୁଖ୍ୟ ସୂଚନା କମିଶନର ଓ ୪ ସୂଚନା କମିଶନର ପଦବୀ ପାଇଁ ଆସିଥିବା ଆବେଦନର ଯାଞ୍ଚ ପାଇଁ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଆଇନ ବିଭାଗର ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ ସଦସ୍ୟ ରହିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ସଞ୍ଜୟ ସିଂଙ୍କୁ ସଦସ୍ୟ ଆବାହକ ଘୋଷଣା କରାଯାଇଛି ।
Follow Us