କନକ ବ୍ୟୁରୋ: ଅଶୁଭ ରବିବାର। ଦୁର୍ଘଟଣାରେ ଚାଲିଗଲା ୬ ଜୀବନ। ତିନିଟି ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ବାରିପଦା ଲୁଲୁଙ୍ଗ୍ ରାସ୍ତାର ରଙ୍ଗାମାଟିଆଠାରେ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବୋଲେରୋ ଗଛରେ ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କରମ୍ ନାଚରେ ସାମିଲ ହେବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ପାଲବଣି ଗୋଲେଇ ଛକରେ ଦୁଇଟି ବାଇକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।
ସକାଳୁ ସକାଳୁ ବଲାଙ୍ଗୀର ମାଧିଆପାଲି ବଲାଙ୍ଗୀର ସମ୍ବଲପୁର ଜାତୀୟ ରାଜପଥରେ ମଧ୍ୟ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଜଣା ଗାଡି ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୋଟର ସାଇକେଲ ନମ୍ବର ଓ ପାଖରେ ପଡ଼ିଥିବା ଏକ ବ୍ୟାଗରେ ଥିବା ଲେଖକୁ ଦେଖିଲେ ଦୁର୍ଘଟଣାରେ ମୃତ୍ୟୁ ବାରଣ କରିଥିବା ଦୁଇଜଣ ଛତିଶଗଡର ବୋଲି ଅନୁମାନ କରାଯାଉଛି । ପୋଲିସ ଦୁଇଟି ମୋବାଇଲ ଫୋନ ପାଇଛି, ତାହା ବନ୍ଦ ଥିବାରୁ ପରିଚୟ ମିଳି ପାରିନାହିଁ। ତେଣୁ ପୋଲିସ ମୋବାଇଲ ଅନ ହେଲା ପରେ ପରିଚୟ ମିଳିବ ବୋଲି କହିଛି ।
ସେହିପରି କୋଣାର୍କ-ପିପିଲି ରାସ୍ତାର ବନାଖଣ୍ତି ଛକ ନିକଟ ମୁଖ୍ୟ ରାସ୍ତା କଡ଼ରେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । କେହି ତାଙ୍କୁ ହତ୍ୟା କରିବା ପରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।