କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଜଦୂତ ରହମ ଇମାନୁଏଲ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗମ୍ଭୀର ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ନୋବେଲ ପୁରସ୍କାର ପାଇବାକୁ ଭାରତ ସହ ଆମେରିକାର ସମ୍ପର୍କ ଖରାପ କରିଛନ୍ତି ।
ଓବାମାଙ୍କ ସରକାରରେ ପ୍ରମୁଖ ପରାମର୍ଶଦାତା ରହିଥିବା ଇମାନୁଏଲ କହିଛନ୍ତି କି, ଟ୍ରମ୍ପଙ୍କ ଗର୍ବ କୂଟନୈତିକ ପ୍ରୟାସକୁ ବରବାଦ କରିବାର ପ୍ରମୁଖ କାରଣ । ଟ୍ରମ୍ପ ଭାରତ-ପାକିସ୍ତାନ ଯୁଦ୍ଧ ଅଟକାଇଥିବା କହିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଥିଲା । ଟ୍ରମ୍ପ ଭାବିଥିଲେ କି ଏଭଳି କହି ଉଭୟ ଭାରତ ଓ ପାକିସ୍ତାନରୁ ପ୍ରଶଂସା ସାଉଣ୍ଟିବେ । ଯାହା ତାଙ୍କୁ ନୋବେଲ ପୁରସ୍କାର ପାଇବାରେ ସହାୟକ ହେବ । ହେଲେ ଏହା ଭାରତ ଓ ଆମେରିକା ମଧ୍ୟରେ ଥିବା ସୁସମ୍ପର୍କ ପ୍ରଭାବିତ ହୋଇଛି । ଏହାପରେ ଉଭୟ ପାକିସ୍ତାନ ଓ ଭାରତ ଉପରେ ଉଚ୍ଚା ଟାରିଫ୍ ଲଗାଇ ପ୍ରତିଶୋଧ ନେଉଛନ୍ତି ଟ୍ରମ୍ପ୍ ।
ଇମାନୁଏଲ କହିଛନ୍ତି ଟ୍ରମ୍ପ ତାଙ୍କ ଶାସନ କାଳରେ ଭାରତକୁ ଚୀନ ବିରୋଧରେ ଲଢ଼େଇବାକୁ ଯେଉଁ ସୁଯୋଗ ଥିଲା ତାକୁ ହାତଛଡ଼ା କରିଛନ୍ତି । ୪୦ବର୍ଷ ଧରି ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କର ଯେଉଁ ସୁଧାର ଆସିଥିଲା ଟ୍ରମ୍ପ ତାହାକୁ ଖରାପ କରିଛନ୍ତି । ଏହାସହ ଇମାନୁଏଲ ଆମେରିକା ଓ ପାକିସ୍ତାନର ସମ୍ପର୍କକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି, ପାକିସ୍ତାନ ସହ ବ୍ୟବସାୟ କରି ଲାଭ ଉଠାଇବା ଲକ୍ଷ୍ୟରେ ଏବେ ଟ୍ରମ୍ପ ପାକିସ୍ତାନର ସହଯୋଗୀ ସାଜିଛନ୍ତି । ଟ୍ରମ୍ପଙ୍କ ପୁଅ ଜୁନିୟର ଟ୍ରମ୍ପ ଓ ଏରିକ ଆମେରିକାରେ କ୍ରିପ୍ଟୋ କରେନ୍ସି ବ୍ୟବସାୟ କରୁଥିବାରୁ ଟ୍ରମ୍ପ ଆମେରିକା ସହ ସମ୍ପର୍କ ରଖିଛନ୍ତି ।
ସେପଟେ ଟ୍ରମ୍ପ ଦାବି କରିଛନ୍ତି କି, ଭାରତ ଆଉ ଋଷ ଠାରୁ ତୈଳ କିଣିବ ନାହିଁ । ହ୍ୱାଇଟ ହାଉସରେ ଏକ କାର୍ୟ୍ୟକ୍ରମରେ ଟ୍ରମ୍ପ କହିଛନ୍ତି, ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଭାରତ ଅତିଶୀଘ୍ର ରୁଷିଆରୁ ତେଲ ଆମଦାନୀ ବନ୍ଦ କରିବ । ରୁଷିଆକୁ ଆର୍ଥିକ ଭାବେ ଏକ ଘରିକିଆ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ଟ୍ରମ୍ପ । ତେବେ ଲଜିଷ୍ଟିକାଲ ପ୍ରକ୍ରିୟା ପାଇଁ ଏହି ପରିବର୍ତ୍ତନ ତୁରନ୍ତ ହୋଇପାରିବ ନାହିଁ । କିନ୍ତୁ ଏହା ଅତିଶୀଘ୍ର ହେବ ବୋଲି ସେ କହିଛନ୍ତି । ଏଥିସହ ମୋଦୀଙ୍କୁ ବନ୍ଧୁ ଓ ମହାନ ନେତା କହି ପ୍ରଶଂସା କରିଛନ୍ତି । ଏହା ପରେ ସେ ଚୀନ ଉପରେ ମଧ୍ୟ ଏହିଭଳି ପଦକ୍ଷେପ ନେବା ପାଇଁ ଚାପ ପକାଇବେ ବୋଲି କହିଛନ୍ତି । ଗତ ମାସରେ ରୁଷିଆରୁ ଭାରତକୁ ତେଲ ରପ୍ତାନୀ ଦୈନିକ ୧.୬୨ ନିୟୁତ ବ୍ୟାରେଲକୁ ବୃଦ୍ଧି ପାଇଥିଲା । ଯାହା ଭାରତର ସମୁଦାୟ ତେଲ ଆମଦାନୀର ପ୍ରାୟ ଏକ-ତୃତୀୟାଂଶ ଥିଲା । ରୁଷିଆର ତେଲ ଆମଦାନୀ ପାଇଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇଥିଲେ ଟ୍ରମ୍ପ । ଫଳରେ ଭାରତୀୟ ସାମଗ୍ରୀ ଉପରେ ଏବେ ୫୦% ଶୁଳ୍କ ଆଦାୟ କରୁଛି ଆମେରିକା ।