କନକବ୍ୟୁରୋ : ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ରାଜ୍ୟ ଭାଜପାର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ଶୋଭାଯାତ୍ରାରେ ବରିଷ୍ଠ ନେତାଙ୍କ ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ସାମିଲ ହୋଇଥିଲେ ।

Advertisment

ଗତକାଲି ସଂଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଂଚିବା ପରେ ଦେବେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା  ।  ବିମାନବନ୍ଦରରେ ବିଭିନ୍ନ ଦଳର ରାଜନେତା ପଂହଚିଥିଲେ । ଏହାପରେ ମରଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା  ।  ପରେ ଦେବେନ୍ଦ୍ରଙ୍କ ପାର୍ଥିବ ଶରୀରକୁ ତାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ରଖାଯାଇଥିଲା  ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିଛନ୍ତି । ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦିକା ତନୟା ପଟ୍ଟନାୟକ ବି ଦେବେନ୍ଦ୍ର ପ୍ରଧାନଙ୍କ ଶେଷଦର୍ଶନ କରିଛନ୍ତି ।  ଆଜି ସକାଳେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ନିଆଯାଇଛି  ।  ୮୪ ବର୍ଷ ବୟସରେ ନୂଆଦିଲ୍ଲୀରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ହେଉଛନ୍ତି ଡାକ୍ତର ଦେବେନ୍ଦ୍ର ପ୍ରଧାନ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ରହିଥିଲେ ଦେବେନ୍ଦ୍ର ପ୍ରଧାନ।

୧୯୮୦ ଜାନୁଆରି ୧୦ ତାରିଖରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦିଅନ୍ତି ଦେବେନ୍ଦ୍ର । ୧୯୮୦ରୁ ୧୯୮୩ ତାଳଚେର ମଣ୍ଡଳ ସଭାପତି ଭାବେ ଆରମ୍ଭ ହୁଏ ଦେବେନ୍ଦ୍ରଙ୍କ ରାଜନୈତିକ ଜୀବନ । ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ସଭାପତି ଭାବେ ତାଙ୍କୁ ମିଳେ ଦାୟିତ୍ବ । ଜିଲ୍ଲାରେ କଂଗ୍ରେସକୁ ପୋଛି ଦେଇ ଭାରତୀୟ ଜନତା ପାର୍ଟିର ଗେରୁଆ ବାନା ଉଡ଼ାଇବାକୁ ସଂକଳ୍ପ ନିଅନ୍ତି ସେ ।

୧୯୮୪ରେ ଦେଓଗଡ଼ ଆସନରୁ ସାଂସଦ ପ୍ରାର୍ଥୀ ଭାବେ ୩୦ ହଜାର ଭୋଟ୍‌ ପଡ଼େ ଦେବେନ୍ଦ୍ରଙ୍କ ଖାତାରେ । କିନ୍ତୁ ବରିଷ୍ଠ କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କୁ ହରାଇବା ସେବେ ଏତେ ସହଜ ନଥିଲା । ତଥାପି ସାହସ ଜୁଟାଇ ଦେବେନ୍ଦ୍ର ୧୯୯୧ ଓ ୧୯୯୬ରେ ଦେଓଗଡ଼ ଆସନରୁ ପ୍ରାର୍ଥୀ ହୋଇ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କୁ ଦେଇଥିଲେ କଡ଼ା ଟକ୍କର । ୧୯୮୪ରେ ମାତ୍ର ୩୦ ହଜାର ଭୋଟ୍‌ ପାଇଥିବା ଦେବେନ୍ଦ୍ର, ୧୯୯୧ରେ ୬୦ ହଜାର ଓ ୧୯୯୬ରେ ପାଇଥିଲେ ୧ ଲକ୍ଷ ୭୫ ହଜାର ଭୋଟ୍‌ ।

ଏହାରି ଭିତରେ ୧୯୮୫ରୁ ୧୯୮୮ ତାଙ୍କୁ ପୁଣିଥରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ମିଳେ । କିନ୍ତୁ ୧୯୮୮ ଫେବ୍ରୁଆରିରେ ଦେବେନ୍ଦ୍ରଙ୍କ ଦକ୍ଷତା, ରାଜନୈତିକ ବିଚକ୍ଷଣତା ଓ ସୂକ୍ଷ୍ମ ଗୋଟି ଚାଳନାରେ କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାନ୍ତି । ୧୯୯୦ରୁ ୧୯୯୩, ୧୯୯୫ରୁ ୧୯୯୭ ଯାଏଁ ଦୁଇ ଦୁଇ ଥର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୁଅନ୍ତି ଦେବେନ୍ଦ୍ର । ସେହିପରି ୧୯୯୩ରୁ ୧୯୯୫ ପର୍ଯ୍ୟନ୍ତ ସେ ଥିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ । 

୧୯୯୮ ମସିହାରେ ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଜୀବନରେ ଆସେ ଭିନ୍ନ ମୋଡ଼ । ବାରମ୍ବାର ନିର୍ବାଚନ ଲଢ଼ିଥିବା ଦେବେନ୍ଦ୍ରଙ୍କୁ ବିପୁଳ ଭୋଟ୍‌ରେ ଜିତାନ୍ତି ଦେବଗଡ଼ବାସୀ । ଦ୍ବାଦଶ ଲୋକସଭାକୁ ସେ ନିର୍ବାଚିତ ହୁଅନ୍ତି ଓ କେନ୍ଦ୍ରର ବାଜପେୟୀ ସରକାରରେ ତାଙ୍କୁ ମିଳେ ସଡ଼କ ପରିବହନ ମନ୍ତ୍ରୀପଦ । ପୁଣିଥରେ ୧୯୯୯ରେ ସେହି ଦେଓଗଡ଼ ଆସନରୁ ଦ୍ବିତୀୟ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଦେବେନ୍ଦ୍ର ।

ଏଥର କେନ୍ଦ୍ର ସରକାରରେ ତାଙ୍କୁ ପୁଣିଥରେ ମିଳିଲା ସଡ଼କ ପରିବହନ ମନ୍ତ୍ରୀପଦ । ଅତିରିକ୍ତ ଭାବେ ତାଙ୍କୁ କୃଷି ବିଭାଗର ମନ୍ତ୍ରୀ ପଦ ବି ମିଳିଥିଲା ।  ମନ୍ତ୍ରୀ ଥିବା ସମୟରେ ଦେଶର ବିଭିନ୍ନ ଅପହଞ୍ଚ ଇଲାକାରେ ପହଞ୍ଚିଥିଲା ସଡ଼କପଥ । ଏପରିକି ତାଙ୍କ ସମୟରେ ମୋଟରଯାନ ଅଧିନିୟମ ବିଲ୍‌, ୨୦୦୦ ଗୃହରେ ଆଗତ ହୋଇଥିଲା ।

୨୦୦୧ରୁ ୨୦୦୨ ପର୍ଯ୍ୟନ୍ତ ସେଥିଲେ ବିଜେପି ରାଷ୍ଟ୍ରୀୟ ଉପସଭାପତି  । ୨୦୦୪ରେ ଶେଷ ଥର ପାଇଁ ପାଲଲହଡ଼ା ଆସନରୁ ବିଧାୟକ ପ୍ରାର୍ଥୀ ହୋଇ ସେ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରତ୍ୟକ୍ଷ ରାଜନୀତି ଭାବେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ଓ ଆଜୀବନ ନିମନ୍ତ୍ରିତ ସଦସ୍ୟ ହୋଇ ରହିଥିଲେ ।  ତାଙ୍କ ପରଲୋକ ରାଜ୍ୟ ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି  । ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ଜନନେତା ଭାବେ ଦିବଙ୍ଗତ ଦେବେନ୍ଦ୍ର ପ୍ରଧାନ ଚିରକାଳ ପାଇଁ ମନେ ରହିବେ  ।