କନକ ବ୍ୟୁରୋ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେରୁ ବହିଷ୍କୃତ ନେତା ଓ. ପନୀରସେଲଭମ୍ ଏନଡିଏ ଛାଡ଼ିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ସେଲଭମଙ୍କ ଘନିଷ୍ଠ ସହଯୋଗୀ ଏହି ଏସ. ରାମଚନ୍ଦ୍ରନ ଏହି ଘୋଷଣା କରିଛନ୍ତି । ଏହି ଘୋଷଣା ସମୟରେ ପନୀରସେଲଭମ୍ ଉପସ୍ଥିତ ଥିଲେ । କିଛିଦିନ ତଳେ ତାମିଲନାଡୁ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପନୀରସେଲଭମ୍ ସାକ୍ଷାତ କରିବା ପାଇଁ ଚିଠି ଲେଖିଥିଲେ । କିନ୍ତୁ ତାଙ୍କୁ ସୁଯୋଗ ମିଳି ନଥିଲା । ଏହାପରେ ସେ ଏନଡିଏ ଛାଡ଼ିଛନ୍ତି ।
ଗତ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପନୀରସେଲଭମ ଏନଡିଏରେ ଯୋଗଦେଇଥିଲେ। ଆଜି ଏନଡିଏ ଛାଡ଼ିଛନ୍ତି । ଆଜି ପ୍ରାତଃ ଭ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଏହାପରେ ସେ ଏନଡିଏ ଛାଡ଼ିଛିଥିବାରୁ ନାନା ଚର୍ଚ୍ଚା ହେଉଛି । ଆସନ୍ତାବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନ ହେବ। ତା’ ପୂର୍ବରୁ ସେଲଭମ୍ ସାରା ରାଜ୍ୟ ବୁଲିବେ। ତାଙ୍କ ଗୋଷ୍ଠୀ ଆଗାମୀ ନିର୍ବାଚନରେ କେଉଁ ଦଳ ସହ ମେଣ୍ଟ କରିବ, ତାହା ସ୍ପଷ୍ଟ ହୋଇନାହିଁ । ତେବେ ଅଭିନେତା ବିଜୟଙ୍କ ଦଳ ଟି.ଭି.କେ ସହ ପନିରସେଲଭମ୍ ହାତ ମିଶାଇବା ସମ୍ଭାବନା ଅଛି ।