କନକ ବ୍ୟୁରୋ : ପଞ୍ଜାବର ପୂର୍ବତନ ପୁଲିସ ଡିଜି ଓ ତାଙ୍କ ପତ୍ନୀ ପଞ୍ଜାବର ପୂର୍ବତନ ମନ୍ତ୍ରୀଙ୍କ ନାଁରେ ପୁତ୍ରହତ୍ୟା ଅଭିଯୋଗ । ପଞ୍ଜାବର ପୂର୍ବତନ ପୁଲିସ ଡିଜି ମହମ୍ମଦ ମୁସ୍ତାଫା ଓ ତାଙ୍କ ପତ୍ନୀ ପଞ୍ଜାବର ପୂର୍ବତନ ମନ୍ତ୍ରୀ ରେଜିଆ ସୁଲତାନାଙ୍କ ନାଁରେ ପୁତ୍ରହତ୍ୟା ଅଭିଯୋଗ ଆସିଛି । ସେମାନଙ୍କ ୩୩ ବର୍ଷର ପୁଅ ଅକିଲଙ୍କ ମୃତଦେହ ପଞ୍ଚକୁଳା ବାସଭବନରୁ ଅଚେତ ଅବସ୍ଥାରେ ମିଳିଥିଲା । ଡାକ୍ତରଖାନାରେ ଅକିଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଡ୍ରଗ୍ସ ଖାଇ ଅକିଲ ପ୍ରାଣ ହରାଇଥିବା ତାଙ୍କ ପରିବାର କହୁଥିବା ବେଳେ ଅସୁସ୍ଥତା ଯୋଗୁ ଅକିଲ ଅଧିକ ଔଷଧ ଖାଇ ଦେବାରୁ ପ୍ରାଣ ହରାଇଥିବା ପୁଲିସ ସନ୍ଦେହ କରୁଛି । ତେବେ ଘଟଣାକୁ ନାଟକୀୟ ମୋଡ଼ ଦେଇଛି ଅକିଲ ଓ ତାଙ୍କ ପରିବାରର ସାଙ୍ଗମାନେ ରେକର୍ଡ କରିଥିବା ଏକ ଭିଡିଓ । ଭିଡିଓରେ ଅକିଲ କହୁଛନ୍ତି ଯେ ତାଙ୍କ ସ୍ତ୍ରୀ ଓ ତାଙ୍କ ବାପାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଛି । ତାଙ୍କୁ କୌଣସି ମାମଲାରେ ଫସାଇ ଦିଆଯାଇପାରେ ବୋଲି ଅକିଲ ଆଶଙ୍କା ପ୍ରକାଶ କରିଥିଲେ । ତାଙ୍କ ବିରୋଧରେ ତାଙ୍କ ମାଆ ଓ ଭଉଣୀ ମଧ୍ୟ ଷଡ଼ଯନ୍ତ୍ର କରୁଥିବା ଅକିଲ ଅଭିଯୋଗ କରିଥିଲେ । ତେବେ ଅକିଲଙ୍କ ମୃତ୍ୟୁ ପରେ ଭିଡିଓକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।
- ପୂର୍ବତନ ଡିଜିଙ୍କ ନାଁରେ ପୁତ୍ରହତ୍ୟା ଅଭିଯୋଗ
- ପଞ୍ଜାବର ପୂର୍ବତନ ଡିଜିପି ମୁସ୍ତାଫାଙ୍କ ନାଁରେ ଅଭିଯୋଗ
- ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ରେଜିଆଙ୍କ ନାଁରେ ଅଭିଯୋଗ
- ପୁଅ ଅକିଲଙ୍କର ସନ୍ଦେହଜନକ ମୃତ୍ୟୁ
- ଘଟଣାକୁ ନାଟକୀୟ ମୋଡ଼ଦେଲା ମୃତ ଅକିଲଙ୍କ ଭିଡିଓ
- ଅକିଲଙ୍କ ସ୍ତ୍ରୀ ଓ ବାପାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଅଭିଯୋଗ
- ଅକିଲଙ୍କ ମୃତ୍ୟୁ ପଛରେ ଏହି କାରଣ ଥିବା ସନ୍ଦେହ
- ସବୁ ଦିଗରୁ ତଦନ୍ତ ଆରମ୍ଭ କଲା ପଞ୍ଜାବ ପୁଲିସ