କନକ ବ୍ୟୁରୋ :  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ପରଲୋକ । ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଗତକାଲି ରାତି ୯ଟା ୫୧ରେ ଦେହାନ୍ତ ହୋଇଯାଇଛି । ୯୨ ବର୍ଷ ବୟସ୍କ ମନମୋହନ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥ ବିଗିଡିବାରୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ପରେ ଘରେ ସେ ଚେତାହରାଇଥିଲେ ।  ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ବିଭିନ୍ନ ବିଭାଗର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇପାରିନଥିଲେ ଡାକ୍ତର ।

Advertisment

ଏମ୍ସରେ ତାଙ୍କ ପତ୍ନୀ ଗୁରୁଶରଣ କୌର, ତିନି ଝିଅ ଉପିନ୍ଦର, ଦାମନ ଓ ଅମ୍ରିତ ଅଛନ୍ତି । ଖବର ପାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସମେତ ବହୁ ବରିଷ୍ଠ ନେତା ଏମ୍ସକୁ ଯାଇ ତାଙ୍କ ଶେଷ ଦର୍ଶନ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଆଜି ସକାଳୁ ବିଭିନ୍ନ ଦଳର ନେତା ଯାଉଥିବା ଦେଖିବାକୁ ମିଳିଛି । ସେପଟେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନ ଆଗରେ ମଧ୍ୟ ଲୋକଙ୍କ ଭିଡ ଜମିବା ଆରମ୍ଭ ହୋଇଛି । ଏମ୍ସରୁ ତାଙ୍କ ପାର୍ଥିବ ଶରୀରକୁ ବାସଭବନକୁ ନିଆଯିବ ଓ ଦଳୀୟ କାର୍ଯ୍ୟାଳୟ ଶେଷ ଦର୍ଶନ ପାଇଁ ରଖାଯାଇପାରେ । ତେବେ ଏନେଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଲଗାତାର ଦୁଇ ଥର ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଳାଇଥିଲେ । ୨୦୦୪ରୁ ୨୦୧୪ ଯାଏଁ ପ୍ରଧାନମନ୍ତ୍ରୀ ଭାବେ ଦେଶର ଶାସନ ଡୋରି ସମ୍ଭାଳିଥିଲେ । ୨୦୦୮ ମସିହାରେ ବିଶ୍ୱସ୍ତରରେ ଆସିଥିବା ଆର୍ଥିକ ମାନ୍ଦାବସ୍ଥା ସମୟରେ ଭାରତର ଅର୍ଥନୀତିକୁ ସୁପରିଚାଳନା କରି ନୂଆ ଦିଗ ଦେଇଥିଲେ । ସାରା ବିଶ୍ୱ ତାଙ୍କର ସେହି ଅର୍ଥନୈତିକ ସୁପରିଚାଳନା କୌଶଳକୁ ପ୍ରଶଂସା କରିଥିଲା । ଭାରତୀୟ ରାଜନୀତି ଓ ଆର୍ଥିକ ସୁଧାର କ୍ଷେତ୍ରରେ ତାଙ୍କ ଅବଦାନ ସବୁଦିନେ ମନେ ରହିବ । ୧୯୯୧ ମସିହାରେ ଭାରତର ଅର୍ଥନୀତିକୁ ଉଦାରୀକରଣ କରିବାରୁ ମୁଖ୍ୟବିନ୍ଧାଣୀଙ୍କୁ ଭୁଲି ପାରିବନି ଦେଶ ।  

  • ୨୦୦୪ରୁ ୨୦୧୪ ଭାରତର ପ୍ରଧାନମନ୍ତ୍ରୀ
    ଏକାଧାରରେ ଜଣେ ରାଜନୀତିଜ୍ଞ, ଶିକ୍ଷାବିତ୍, ଅର୍ଥନୀତିଜ୍ଞ ଓ ପ୍ରଶାସକ
    ସର୍ବାଧିକ ସମୟ ଧରି ପ୍ରଧାନମନ୍ତ୍ରୀ ରହିଥିବା ଚତୁର୍ଥ ପ୍ରଧାନମନ୍ତ୍ରୀ
    ନେହେରୁ, ଇନ୍ଦିରା, ମୋଦିଙ୍କ ପରେ ଚତୁର୍ଥ ପ୍ରଧାମନ୍ତ୍ରୀ
    ଦେଶର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀ
    ୧୯୯୧ରେ ପି.ଭି.ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ 
    ଆର୍ଥିକ ଉଦାରୀକରଣର ଥିଲେ ସୁତ୍ରଧର
    ଏହି ସମୟରେ ଦେଶ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲା
    ୧୯୯୬ରେ ପରାସ୍ତ ହୋଇଥିଲା କଂଗ୍ରେସ
    ୧୯୯୮ରୁ ୨୦୦୪ ରାଜ୍ୟସଭାରେ ବିରୋଧୀ ଦଳ ନେତା 
    ୨୦୦୪ରେ ଅପ୍ରତ୍ୟାଶିତ ଭାବେ ଭାରତର ପ୍ରଧାନମନ୍ତ୍ରୀ ନିଯୁକ୍ତ
    ଜାତୀୟ ସ୍ବାସ୍ଥ୍ୟ ମିଶନ, ମନରେଗା ଆରମ୍ଭରେ ମନମୋହନଙ୍କ ପ୍ରମୁଖ ଭୂମିକା 
    ସୂଚନା ଅଧିକାର ଆଇନ ପ୍ରଣୟନରେ ମନମୋହନଙ୍କ ପ୍ରମୁଖ ଭୂମିକା 
    ୨୦୦୯ରେ ଦ୍ବିତୀୟ ଥର ଲାଗି ହୋଇଥିଲେ ପ୍ରଧାନମନ୍ତ୍ରୀ 
    କେବେ ବି ଲୋକସଭା ନିର୍ବାଚନ ଲଢି ନଥିଲେ ମନମୋହନ ସିଂହ
    ୧୯୯୧ରୁ ୨୦୧୯ ଯାଏଁ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ
    ୨୦୧୯ରୁ ୨୦୨୦୪ ଯାଏଁ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ