Babar Azam Photograph: (Kanak news)
କନକ ବ୍ୟୁରୋ: ଆସନ୍ତା ରବିବାର କଲୋମ୍ବୋରେ କ୍ରିକେଟ ଦୁନିଆର ସବୁଠାରୁ ବଡ଼ ମୁକାବିଲା ଦେଖିବାକୁ ମିଳିବ । ଟି-୨୦ ବିଶ୍ୱକପ୍ର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ପାକିସ୍ତାନ କ୍ରିକେଟ ମହଲରେ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ପାକିସ୍ତାନର ପୂର୍ବତନ ଖେଳାଳିମାନେ ଅଧିନାୟକ ବାବର ଆଜମଙ୍କୁ ନେଇ କିଛି ଏଭଳି ‘ଅଜବ ପ୍ରତିଶ୍ରୁତି’ ଦେଇଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏକ ଟିଭି କାର୍ଯ୍ୟକ୍ରମରେ ଆଲୋଚନା ବେଳେ ପୂର୍ବତନ ଓପନର୍ ଅହମ୍ମଦ ଶେହଜାଦ ଏବଂ ଷ୍ଟାର୍ ପେସର ମହମ୍ମଦ ଆମିର ବାବର ଆଜମଙ୍କୁ ନେଇ ବଡ଼ କଥା କହିଛନ୍ତି । ଶେହଜାଦ ଘୋଷଣା କରିଛନ୍ତି ଯେ, ଯଦି ବାବର ଭାରତ ବିପକ୍ଷରେ ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳନ୍ତି, ତେବେ ସେ ପୂରା ପାକିସ୍ତାନ ଟିମକୁ ଶାହି ଡିନର ପାର୍ଟି ଦେବେ । ସେହିପରି ମହମ୍ମଦ ଆମିରଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମିର ସଙ୍କେତ ଦେଇଛନ୍ତି ଯେ, ଯଦି ବାବର ଏହି ବଡ଼ ମ୍ୟାଚରେ ଦମଦାର ପ୍ରଦର୍ଶନ କରନ୍ତି, ତେବେ ସେ ନିଜ ଅବସର ନିଷ୍ପତ୍ତି ଉପରେ ପୁନର୍ବାର ଚିନ୍ତା କରିପାରନ୍ତି ଏବଂ ଦଳକୁ ଫେରିପାରନ୍ତି ।
ଆହୁରି ପଢ଼ନ୍ତୁ... ଟି-୨୦ ବିଶ୍ୱକପରେ ଭାରତର ଦମଦାର ବିଜୟ , ନାମିବ୍ୟାକୁ ୯୩ ରନ୍ରେ ପରାସ୍ତ
ଭିଡିଓରେ ଆଙ୍କର ଯେତେବେଳେ ପ୍ରଶ୍ନ କରିଥିଲେ ଯେ, ଯଦି ବାବର ୧୬୦ ଷ୍ଟ୍ରାଇକ୍ ରେଟରେ ରନ୍ ସଂଗ୍ରହ କରନ୍ତି, ତେବେ ଆମିର ଅବସରରୁ ‘ୟୁ-ଟର୍ଣ୍ଣ’ ନେବେ କି? ଏହାର ଉତ୍ତରରେ ଆମିର ହସି ହସି କହିଥିଲେ, "କେବଳ ୨ଟି ବଲରେ ୮ ରନ୍ କରି ଆଉଟ୍ ହେଲେ ଚଳିବ ନାହିଁ । ଯଦି ବାବର ୫୦ରୁ ଅଧିକ ରନ୍ କରନ୍ତି ଏବଂ ଦଳକୁ ଜିତାନ୍ତି, ତେବେ ମୁଁ ଫେରିବା କଥା ଭାବିବି ।" ଶେହଜାଦ ମଧ୍ୟ ଏଥିରେ ଯୋଡ଼ିଥିଲେ ଯେ, ଏହି ସବୁ ସର୍ତ୍ତ ସେତେବେଳେ ଲାଗୁ ହେବ ଯଦି ବାବର ୧୫୦ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରିବେ।
ବର୍ତ୍ତମାନ ସମୟରେ ବାବର ଆଜମ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ରନ୍ କରିଥିବା ବ୍ୟାଟର। କିନ୍ତୁ ତାଙ୍କର ୧୨୮.୨୯ର ଷ୍ଟ୍ରାଇକ୍ ରେଟ୍ ଏବଂ ବର୍ତ୍ତମାନର ଫର୍ମକୁ ନେଇ ସମାଲୋଚନା ଜାରି ରହିଛି । ଚଳିତ ବିଶ୍ୱକପରେ ସେ ୨ଟି ମ୍ୟାଚରୁ ମାତ୍ର ୬୧ ରନ୍ ସଂଗ୍ରହ କରିଛନ୍ତି । ପୂର୍ବତନ ଅଧିନାୟକ ରାଶିଦ ଲତିଫ ଅବଶ୍ୟ କହିଛନ୍ତି ଯେ, ବାବରଙ୍କ ଉପରେ ଅତ୍ୟଧିକ ଚାପ ପକାଇବା ଉଚିତ ନୁହେଁ।
ଏହି ମ୍ୟାଚ୍କୁ ନେଇ ପୂର୍ବରୁ ଅନେକ ବିବାଦ ଦେଖାଦେଇଥିଲା । ପାକିସ୍ତାନ ଏହାକୁ ବୟକଟ୍ କରିବା କଥା ମଧ୍ୟ କହିଥିଲା, କିନ୍ତୁ ଶେଷରେ ସବୁ ବାଧାବିଘ୍ନ ଏଡ଼ାଇ ରବିବାର ଏହି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । କଲୋମ୍ବୋର ମଇଦାନରେ କେବଳ ଦୁଇଟି ଦଳ ମଧ୍ୟରେ ଲଢ଼େଇ ହେବନି, ବରଂ ଏହା ଆଶା, ଭରସା ଏବଂ କୋଟି କୋଟି ପ୍ରଶଂସକଙ୍କ ଭାବନା ମଧ୍ୟରେ ଏକ ମହାସଂଗ୍ରାମ ହେବ । ବାବରଙ୍କ ବ୍ୟାଟରୁ ବଡ଼ ସ୍କୋର ବାହାରୁଛି କି ନାହିଁ ଏବଂ ଆମିରଙ୍କ ଭଳି ଖେଳାଳି ପଡ଼ିଆକୁ ଫେରୁଛନ୍ତି କି ନାହିଁ, ତାହା ରବିବାର ସ୍ପଷ୍ଟ ହେବ ।
Follow Us