କନକ ବ୍ୟୁରୋ: କଥାରେ ଅଛି ସମୟ କେତେବେଳେ କାହାକୁ ପରିବର୍ତ୍ତନ କରିଦେ ତାହା ସେହି ସମୟ ହିଁ ଜାଣେ । ସମୟ ଚକ୍ରରେ କ୍ରୁର ସ୍ବଭାବର ମଣିଷଟି ମଧ୍ୟ ମିଷ୍ଠଭାଷୀରେ ପରିଣତ ହୋଇଯାଇଥାଏ । ଠିକ୍‌ ଯେପରି ଦସ୍ୟୁ ରତ୍ନାକର ବାଲ୍ମିକୀ ଋଷିରେ ପରିଣତ ହୋଇଥିଲେ । ମଣିଷ ପ୍ରକୃତିର ପରିବର୍ତ୍ତନ ହୁଏ ଏହା କାହିଁ କେଉଁ ଯୁଗରୁ ପ୍ରମାଣିତ ହୋଇସାରିଛି । ଏବେ ଆମେ ଏପରି ଦୁଇ ଝିଅଙ୍କ ବିଷୟରେ କହିବୁ ଯାହାଙ୍କୁ ଧରିବା ପାଇଁ କେବେ  ଲକ୍ଷ ଲକ୍ଷ ଟଙ୍କା ପୁରଷ୍କାର ରାଶି  ଘୋଷଣା କରାଯାଇଥିଲା । କିନ୍ତୁ କିଛି ବର୍ଷ ହେବ ଏହି ଦୁଇ ଜଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିଛି । ଦିନେ ଭାରତୀୟ ସୁରକ୍ଷାବଳକୁ ନିଜର ଶତ୍ରୁ ଭାବୁଥିଲେ ଆଜି ସେହି ସୁରକ୍ଷାବଳରେ ସାମିଲ ହୋଇ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି । ଆସନ୍ତୁ ଜାଣିବା ସୁଶିଲା ଏବଂ ଜୟମତୀଙ୍କ ରୋଚକ କାହାଣୀ..

Advertisment

ମାଓବାଦୀ ଭାବେ ସକ୍ରିୟ ଥିଲେ ଏହି ଦୁଇ ମହିଳା । ମାଓବାଦୀର କାଇଦା କାନୁନରେ ସମ୍ପୂର୍ଣ୍ଣ ଭାବେ ପରିଚାଳିତ ହେଉଥିଲେ । ଆଉ ଭାରତୀୟ ବ୍ୟବସ୍ଥା ଉପରେ ବିଶ୍ବାସ ନଥିଲା । ବିରୋଧ କରୁଥିଲେ ଭାରତୀୟ ବ୍ୟବସ୍ଥାକୁ, ଜଙ୍ଗଲରେ ମାଓବାଦୀ ପୋଷାକ ସହ ବନ୍ଧୁକ ଧରି ଘୁରିବୁଲୁଥିଲେ ଦିନରାତି । ଷଡଯନ୍ତ୍ର ରଚୁଥିଲେ ସୁରକ୍ଷାବାହିନୀଙ୍କ ବିରୋଧରେ । ଟାର୍ଗେଟରେ ଥିଲେ ଭାରତୀୟ ସୁରକ୍ଷାବଳ । ଆଉ ନିରୀହ ଗ୍ରାମବାସୀଙ୍କୁ କରୁଥିଲେ ମାଧ୍ୟମ । ପ୍ରାଣ ବି ନେଇଯାଉଥିଲେ । ମାତ୍ର ୧୫ ବର୍ଷ ବୟସରୁ ସୁଶିଲା ଏବଂ  ଜୟମତୀ ମାଓବାଦୀଙ୍କ ରାସ୍ତାରେ ବାହାରିପଡିଥିଲେ । 
     
ସୁଶିଲା ମାଲକାନଗିରି ଅଞ୍ଚଳରେ ମାଓବାଦୀ ଭାବେ ସକ୍ରିୟ ଥିଲେ ଏବଂ ଜୟମତୀ ଛତିଶଗଡ ବିଜାପୁରରେ ଥିଲେ ସକ୍ରିୟ । ଦୁଇ ଜଣ ୨୦୦୬ରେ ନକ୍ସଲମାନଙ୍କର ବିଭିନ୍ନ କ୍ୟାଡରରେ ଯୋଗ ଦେଇଥିଲେ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ  ସେମାନେ କହିଥିଲେ ତାଙ୍କ ପରିସ୍ଥିତିର ଫାଇଦା ଉଠାଇ ନକ୍ସଲମାନେ ତାଙ୍କୁ କ୍ୟାଡରରେ ସାମିଲ କରାଇଥିଲେ । ଏହାପରେ ଦୁଇ ଜଣଙ୍କୁ ବାଧ୍ୟ କରୁଥିଲେ ସୁରକ୍ଷାବଳଙ୍କ ଗତିବିଧି ଉପରେ ନଜର ରଖିବାକୁ । ଆଉ ସୁରକ୍ଷା ବଳଙ୍କ ବିରୋଧରେ ଅସ୍ତ୍ର ଉଠାଇବାକୁ । ହିଂସାତ୍ମକ ଗତିବିଧି ଆପଣାଇବାକୁ । କିନ୍ତୁ ଏହି ନରସଂହାର ରାସ୍ତାରୁ ବାହାରିକୁ ଚାହୁଁଥିଲେ ସୁଶିଲା ।  ଏଥିରୁ ବିରକ୍ତି ଭାବ ପ୍ରକାଶ କରି ମାଲକାନଗିରି ଅଞ୍ଚଳରେ ସକ୍ରିୟ ଥିବା ସୁଶିଲା  ଆତ୍ମସମର୍ପଣ କରିଦେଲେ । କିନ୍ତୁ ଜୟମତୀ ମାଓବାଦୀ ଭାବେ ସକ୍ରିୟ ଥାଆନ୍ତି । ୨୦୧୬ ପର୍ଯ୍ୟନ୍ତ ହିଂସା ମାର୍ଗରେ ଲିପ୍ତ ରହିଥିଲେ ଜୟମତୀ ।  ଜୟମତୀଙ୍କ କହିବାନୁସାରେ ତାଙ୍କୁ ୨୦୧୬ରେ ଗିରଫ କରାଯାଇଥିଲା । ଏହା ପରେ ଏହି ଦୁଇ ମହିଳା ଜୀବନରେ ଆରମ୍ଭ ହୋଇଥିଲା ନୂଆ ଅଧ୍ୟାୟ । ଦୁର୍ଦ୍ଦାନ୍ତ କ୍ୟାଡରରୁ ବର୍ତ୍ତମାନ ସୁଶିଲା ଏବଂ ଜୟମତୀ ସୁରକ୍ଷାବାହିନୀର ଅଂଶ ହୋଇଯାଇଛନ୍ତି । ଅର୍ଥାତ ଛତିଶଗଡ ପୋଲିସ୍‌ର ଡିଆରଜିରେ କାର୍ଯ୍ୟରତ ।  ସମ୍ମାନର ସହ ଏବେ ଜୀବନ ବଞ୍ଚଛନ୍ତି ଏହି ଦୁଇ ମହିଳା । ମାଓବାଦୀ ଥିଲାବେଳେ ଜୟମତୀଙ୍କ ପାଇଁ ୫ ଲକ୍ଷ ଏବଂ  ସୁଶିଲାଙ୍କ ପାଇଁ ୧୦ ଲକ୍ଷ ରାଶି ଘୋଷଣା କରାଯାଇଥିଲା ।