କନକ ବ୍ୟୁରୋ: ଏବେ ବିଜେଡିକୁ ବି ବାଏ ବାଏ କଲେ ପୂର୍ବତନ ବିଧାୟକ ତଥା କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଲେଖି ‘ଶଙ୍ଖ’କୁ ମୁହଁ ମୋଡ଼ିଦେଇଛନ୍ତି ପ୍ରକାଶ । ଇସ୍ତଫା ପତ୍ରରେ ପ୍ରକାଶ ଲେଖିଛନ୍ତି କି, ବହୁ ଚିନ୍ତନ ପରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଅଛି । ଆପଣ ମୋତେ ବାରବାଟୀ-କଟକ ଭଳି ସମ୍ମାନଜନକ ଆସନରୁ ପ୍ରାର୍ଥୀ କରିଥିବାରୁ କୃତଜ୍ଞତା ଜଣାଉଅଛି ଓ ଆପଣଙ୍କ ନେତୃତ୍ୱକୁ ସମ୍ମାନ ଜଣାଉଛି । ଯେହେତୁ ମୁଁ ଜଣେ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ଵାସ ରଖୁଥିବା ଓ ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଙ୍ଗଠନ ସହ ଯୋଡିହୋଇ ରହୁଥିବା ବ୍ୟକ୍ତିତ୍ଵ ତେଣୁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମନେ କଲି ।

Advertisment

ବାରବାଟୀ- କଟକ ଜନତା ଅତି ସ୍ଵଳ୍ପ ସମୟ ମଧ୍ୟରେ ଯେଉଁଭଳି ଭାବେ ମୋତେ ସମର୍ଥନ ଦେଇଛନ୍ତି ସେଥ‌ିପାଇଁ ମୁଁ କୃତଜ୍ଞ । କଟକର ଜନସାଧାରଣ ଓ କର୍ମକର୍ତ୍ତାମାନେ କଟକର ସମସ୍ୟା ବାବଦରେ ମୋର ଆବଶ୍ୟକତା ଯେତେବେଳେ ଅନୁଭବ କରିବେ ମୁଁ ମୋର କର୍ତ୍ତବ୍ୟ ପ୍ରତିପାଦନ କରିବାରେ ଅବହେଳା କରିବି ନାହିଁ । ଟାଙ୍ଗୀ ସାଲେପୁରର ଗୁରୁଜନ, ଭାଇଭଉଣୀମାନେ ମୋର ସଂଘର୍ଷ ସହ ଦୀର୍ଘ ୨୫ ବର୍ଷ ହେବ ଯୋଡିହୋଇ ରହିଛନ୍ତି ଓ ମୁଁ ସଦା ସର୍ବଦା ସେମାନଙ୍କର ଆଶୀର୍ବାଦ ଓ ସହଯୋଗ ପାଇ ଆସିଛି । ସେମାନଙ୍କ ସହ ସର୍ବଦା ମୁଁ ଯୋଡି ହୋଇ ରହିଛି ଓ ସେମାନଙ୍କ ପ୍ରତି ମୋର କର୍ତ୍ତବ୍ୟରେ କେବେବି ଅବହେଳା କରି ନାହିଁ । ସାରାଜୀବନ ସେମାନଙ୍କ ଋଣ ଶୁଝିବାକୁ ଚେଷ୍ଟା କରିବି । ବହୁ ଆଲୋଚନା ଓ ବିଚାର ବିମର୍ଷ ପରେ ନିସ୍ୱାର୍ଥପର ଭାବରେ ଟାଙ୍ଗୀ-ସାଲେପୁର ବାସୀଙ୍କ ସେବା କରି ବା ପାଇଁ ମୁଁ ନିଷ୍ପତ୍ତି ନେଇଛି । ମୋର ଗୁରୁଜନ, ବନ୍ଧୁ, ଶୁଭେଚ୍ଛୁ, ଭାଇଭଉଣୀ ଓ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବି । 

ତେବେ ପ୍ରକାଶ ଚଳିତ ନିର୍ବାଚନ ପୂର୍ବରୁ ଟିକେଟ୍ ପାଇଁ ବିଜେପି ଶିବିର ଛାଡ଼ି ‘ଶଙ୍ଖ’ ଶିବିରରେ ହୋଇଥିଲେ ସାମିଲ । କଟକ-ବାରବାଟୀରୁ ବିଜେଡି ଟିକେଟ୍ ପାଇ ନିର୍ବାଚନ ଲଢ଼ିଥିଲେ କିନ୍ତୁ ପରାଜୟର ସମ୍ମୁଖୀନ ହୋଇଥିଲେ ପ୍ରକାଶ ।