କନକ ବ୍ୟୁରୋ: ପ୍ରକାଶ ବେହେରା ! ଓଡିଶା ରାଜନୀତିର ଚର୍ଚ୍ଚିତ ଚେହେରା । କାହିଁକି ଚର୍ଚ୍ଚା ହୁଏ ? କାରଣ ସିଏ ଓଡିଶାର ନୀତିଶ କୁମାର ବୋଲି ରାଜନୈତିକ ସମୀକ୍ଷକମାନେ କୁହନ୍ତି । ମାନେ ସିଏ ଗୋଟେ ପରେ ଗୋଟେ ଦଳ ବଦଳାଉଥିବା ଜଣେ ମାହିର ନେତା । ଯିଏ କୌଣସି ଗୋଟିଏ ଦଳରେ ସ୍ଥାୟୀ ଭାବେ ରୁହନ୍ତିନି କି ତାଙ୍କୁ କେହି କେଉଁ ଏକ ନିର୍ଦ୍ଦିଷ୍ଟ ପାର୍ଟିରେ ରହିବାର ଦେଖିନି । କେବେ କଂଗ୍ରେସ ତ କେବେ ବିଜେପି ପୁଣି କେବେ ବିଜେଡିରେ ସାମିଲ ହୁଅନ୍ତି । ଆୟା ରାମ୍ ଗୟା ରାମ୍ ଗୁଣ ପାଇଁ କେହି କେହି ତାଙ୍କୁ ଓଡିଶା ରାଜନୀତିର ଦଳଡିଆଁ ନେତା କହିବାକୁ ବି ପଛାନ୍ତିନି ।
ଚଳିତ ବର୍ଷ ଏପ୍ରିଲ ୩ ତାରିଖରେ ବିଜେପି ଛାଡି ବିଜେଡିରେ ମିଶିଥିଲେ ପ୍ରକାଶ । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ ଏହି ହେଭିୱେଟ୍ ନେତା । ଶଙ୍ଖ ଭବନରେ ନିଜ ସମର୍ଥକଙ୍କ ସହ ସାମିଲ ହୋଇଥିଲେ । ପରେ କଟକ-ବାରବାଟୀ ପାଇଁ ବିଜେଡି ଟିକେଟରେ ଲଢି ପରାଜୟ ବରଣ କରିଥିଲେ । ଏବେ ବିଜେଡିରେ ସବୁକିଛି ଠିକ୍ ନଥିବା ବେଳେ ଭେଳା ବୁଡିବା ପୂର୍ବରୁ ନିଜକୁ ସୁରକ୍ଷିତ ସ୍ଥାନକୁ ସିପ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରକାଶ ତେଣୁ ସୁପ୍ରିମୋଙ୍କୁ ଏକ ଲମ୍ବା ଚଉଡା ଇସ୍ତଫା ପତ୍ର ଲେଖି ଶଙ୍ଖ ସହ ୬ ମାସିଆ ସମ୍ପର୍କ ଛିନ୍ନ କରିଛନ୍ତି ପ୍ରକାଶ ।
ତେବେ ୨୦୧୪ରେ ପ୍ରକାଶ ବେହେରା ସାଲେପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇ ବିଧାୟକ ହୋଇଥିଲେ । ମାତ୍ର ୨୦୧୯ ନିର୍ବାଚନ ପୂର୍ବରୁ ହାତ ଛାଡି ପଦ୍ମ ଧରିଲେ ଏବଂ ବିଜେପି ଟିକେଟରୁ ଲଢିଥିଲେ ହେଁ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ହାରିଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ ବି ସେ ବିଜେପିକୁ ପର କରି ବିଜେଡିରେ ସାମିଲ ହୋଇଥିଲେ । ମାତ୍ର ସେଠି ବି ସେ ରହି ପାରିଲେନି । ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ପ୍ରକାଶ । ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇ କହିଛନ୍ତି ମୁଁ ଜଣେ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ଵାସ ରଖୁଥିବା ଓ ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଙ୍ଗଠନ ସହ ଯୋଡିହୋଇ ରହୁଥିବା ବ୍ୟକ୍ତିତ୍ଵ ତେଣୁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମନେ କଲି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି । ଶଙ୍ଖ ସହ ପ୍ରକାଶଙ୍କ ସମ୍ପର୍କ ମାତ୍ର ୬ ମାସର । ବିଜେପି ଛାଡି ବିଜେଡି ଆସିବାର ୬ ମାସ ଭିତରେ ଦଳ ସହ ଛିଡିଗଲା ପ୍ରକାଶଙ୍କ ସମ୍ପର୍କ । ତେବେ ଏଇ ୬ ମାସରେ ଏମିତି କଣ ହେଲା ଯେ, ବିଜେଡିକୁ ପର କରିବାକୁ ନିଷ୍ପତ୍ତି ନେଲେ ପ୍ରକାଶ ବେହେରା? ତାହା ଏବେ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।