କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ଦୀର୍ଘଦିନ ଧରି ଅସୁସ୍ଥ ଥିବା ସତ୍ୟପାଲଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଜମ୍ମୁ- କାଶ୍ମୀର ସମେତ ବିହାର, ଗୋଆ, ମେଘାଳୟ, ଓଡ଼ିଶାର ରାଜ୍ୟପାଳ, ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଥିବା ସତ୍ୟପାଲ ଏକଦା ସରକାରଙ୍କ ଘନିଷ୍ଠ ଥିଲେ । ପରେ ପାଲଟି ଯାଇଥିଲେ ସମାଲୋଚକ । ଏଥିପାଇଁ ଚର୍ଚ୍ଚାରେ ଥିଲେ ।
୨୦୧୮ ଅଗଷ୍ଟରୁ ୨୦୧୯ ପର୍ଯ୍ୟନ୍ତ ସତ୍ୟପାଲ ମଲିକ ଜମ୍ମୁ- କାଶ୍ମୀର ରାଜ୍ୟପାଳ ଥିଲେ । ତାଙ୍କରି ସମୟରେ ୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ- କାଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିଦେଇଥିଲେ । ଆଜି ଏହି ଦିନକୁ ୬ ବର୍ଷ ପୂରୁଥିବା ବେଳେ ସତ୍ୟପାଲ ମଲ୍ଲିକଙ୍କ ଦେହାନ୍ତ ହୋଇଛି । ୨୦୧୯ରେ ପୁଲୱାମା ଆକ୍ରମଣ ହୋଇଥିଲା। ଏଥିରେ ସୁରକ୍ଷା ତ୍ରୁଟି ଅଭିଯୋଗ ଓ କେରୁ ହାଇଡ୍ରୋ ପାୱାର୍ ଯୋଜନାରେ ଦୁର୍ନୀତି ନେଇ ବିବାଦକୁ ଆସିଯାଇଥିଲେ ଓ ବିଜେପିର ସମାଲୋଚକ ପାଲଟି ଯାଇଥିଲେ । କେରୁ ହାଇଡ୍ରୋପାୱାର ମାମଲାରେ ସିବିଆଇ ତଦନ୍ତର ସମ୍ମୁଖୀନ ହୋଇଥିଲେ । ତାଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା । ଉତ୍ତର ପ୍ରଦେଶର ୧୯୪୬ରେ ଜନ୍ମଗ୍ରହଣ କରିଥିବା ସତ୍ୟପାଲ ରାମ ମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ ସତ୍ୟପାଲ । ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଥିଲେ ଓ ୧୯୭୪ରେ ଚରଣ ସିଂହଙ୍କ ଭାରତୀୟ କ୍ରାନ୍ତି ଦଳ ଟିକେଟରେ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ସାଂସଦ ଓ କେନ୍ଦ୍ରମନ୍ତ୍ରୀରୁ ରାଜ୍ୟପାଳ ହେବା ପର୍ଯ୍ୟନ୍ତ ନୀତି ଆଦର୍ଶ ପାଇଁ ବହୁ ଦଳ ବଦଳ କରିଥିଲେ ବି ରୋକଠୋକ୍ ମତ ପ୍ରକାଶ ନେଇ ଚର୍ଚ୍ଚାରେ ଥିଲେ ସତ୍ୟପାଲ । ଶେଷ ଜୀବନରେ କୃଷକଙ୍କ ସ୍ୱାର୍ଥରକ୍ଷା ପାଇଁ ଆଗକୁ ଆସିଥିଲେ ଓ କେନ୍ଦ୍ର ସରକାରଙ୍କୁ ବିରୋଧ କରିଥିଲେ । ଜମ୍ମୁ- କାଶ୍ମୀର ସମେତ ବିହାର, ଗୋଆ ଓ ମେଘାଳୟ ରାଜ୍ୟପାଳ ଥିଲେ । ୨୦୧୮ ମାର୍ଚ୍ଚ ୨୧ରୁ ମେ’ ୨୮ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇ ଥିଲେ ।