ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ, ପତ୍ନୀ ଓ ପୁଅକୁ ଭେଟିବାକୁ ଯାଉଥିଲେ ଲଣ୍ଡନ

ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଶତାଧିକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ମଧ୍ୟ ପ୍ରାଣହାନୀ ଘଟିଛି । 

Vijay Rupani

କନକ ବ୍ୟୁରୋ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଅହମ୍ମଦାବାଦରେ ମୃତ୍ୟୁ ଘଟିଛି । ଗୁରୁବାର ଏହି ବିମାନଟି ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନବନ୍ଦରରୁ ଲଣ୍ଡନ ଯାଉଥିଲା । ରୂପାଣୀ ପତ୍ନୀ ଓ ପୁଅ, ଝିଅଙ୍କୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ । ଗୁଜରାଟ ବିଜେପି ମୁଖ୍ୟ ସି.ଆର. ପାଟିଲ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି । ସି.ଆର. ପାଟିଲ କହିଛନ୍ତି ଯେ ସେ ତାଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ, ସେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । 

ବିମାନ ଦୁର୍ଘଟଣା ବାବଦରେ ସୂଚନା ପାଇବା ପରେ ବିଜୟ ରୂପାଣୀଙ୍କ ପାଖ ପଡ଼ିଶାରେ ଏକ ଅସହଜ ନିରବତା ଖେଳି ଯାଇଥିଲା । ପଡ଼ୋଶୀମାନେ ତାଙ୍କ ଘର ପାଖରେ ଥିବା ଏକ ମନ୍ଦିରରେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଥିଲେ । ବର୍ତ୍ତମାନ ସୁଦ୍ଧା ରୂପାଣୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହି ।  

ଭାରତ ପାଇଁ ଆଜି ଥିଲା ଅଶୁଭ ଗୁରୁବାର । ଗୁଜରାଟର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଛି । ରନ୍‌ୱେରୁ ଟେକ୍ଅଫ୍‌ କରିବାର ୫ ମିନିଟ୍ ମଧ୍ୟରେ ଆକାଶରୁ ଖସିପଡ଼ିଥିଲା ଏହି ବିମାନ । ଆଉ ତାପରର ଦୃଶ୍ୟ ଥିଲା ବେଶ ଭୟାବହ ।  ପ୍ରଚଣ୍ଡ ଶବ୍ଦ ସହ ଭୟଙ୍କର ବିସ୍ଫୋରଣ । ନିଆଁପିଣ୍ଡୁଳା ପାଲଟି ଯାଇଥିଲା ପୂରା ବିମାନ ।  ହୁତୁହୁତୁ ହୋଇ ଜଳୁଥିଲା ବିମାନ । ଏହାପରେ ମେଘାନୀନଗର ଆକାଶରେ ଖେଳି ଯାଇଥିଲା କଳାଧୂଆଁର ବଳୟ । ଆଖପାଖ ଅଞ୍ଚଳ ବି ପୂରା ଧୂଆଁମୟ ହୋଇଯାଇଥିଲା ।

ବିମାନରେ କ୍ର୍ୟୁ ମେମ୍ବରଙ୍କ ସହ ୨୪୨ ଜଣ ଯାତ୍ରୀ ରହିଥିଲେ । ୧୬୯ ଭାରତୀୟ, ୫୩ ବ୍ରିଟିଶ, ୭ ପର୍ତ୍ତୃଗାଲ ଓ ଜଣେ କାନାଡା ନାଗରିକଙ୍କୁ ନେଇ ଉଡ଼ାଣ ଭରିଥିଲା ବିମାନ । କିନ୍ତୁ କେଇ ମିନିଟ ମଧ୍ୟରେ ଦେଖିବାକୁ ମିଳିଥିଲା ମୃତ୍ୟୁର ମହାତାଣ୍ଡବ । ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ମୃତ୍ୟୁସଂଖ୍ୟା ୨୦୦ ଟପିଲାଣି । ବିମାନଟି ଅଧିକାଂଶ ଅଂଶ ଜଳି ଯାଇଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଯାତ୍ରା କରୁଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe