କନକ ବ୍ୟୁରୋ: କଥା ଦେଇ କଥା ରଖିଲେ ଲିଟିଲ ମାଷ୍ଟର ତଥା ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ସ୍ୱାସ୍ଥ୍ୟ ସମସ୍ୟା ସହିତ ସଂଘର୍ଷ କରୁଥିବା ବିନୋଦ କାମ୍ବଲିଙ୍କୁ କଠିନ ସମୟରେ ସୁନୀଲ ଗାଭାସ୍କରଙ୍କଠାରୁ ସାହାଯ୍ୟର ହାତ ବଢାଇଛନ୍ତି । କାମ୍ବଲିଙ୍କୁ ଗତ ବର୍ଷ ଡିସେମ୍ବରରେ ମୂତ୍ର ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜାନୁଆରୀ ୧ ରେ ଡିସଚାର୍ଜ ହେବା ପୂର୍ବରୁ ତାଙ୍କୁ ପ୍ରାୟ ଦୁଇ ସପ୍ତାହ ପାଇଁ ଥାଣେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ କିଛି ବର୍ଷ ମଧ୍ୟରେ କାମ୍ବଲିଙ୍କ ସ୍ୱାସ୍ଥ୍ୟ ସମସ୍ୟା ରହିଛି । ସଚିନ ତେନ୍ଦୁଲକରଙ୍କ ଆର୍ଥିକ ସହାୟତାରେ ୨୦୧୩ରେ କାମ୍ବଲିଙ୍କର ହାର୍ଟ ଅପରେସନ ମଧ୍ୟ ହୋଇଥିଲା । ଗତ ବର୍ଷ ଡିସେମ୍ବରରେ ମୁମ୍ବାଇର ଶିବାଜୀ ପାର୍କରେ କିମ୍ବଦନ୍ତୀ ପ୍ରଶିକ୍ଷକ ରମାକାନ୍ତ ଆଚ୍ରେକରଙ୍କ ସ୍ମାରକୀ ଉଦଘାଟନ ଉତ୍ସବରେ ଯୋଗ ଦେଇ କାମ୍ବଲି ପୁଣି ଥରେ ଖବରରେ ଆସିଥିଲେ, ଯେଉଁଠାରେ ସଚିନ ମଧ୍ୟ ଉପସ୍ଥିତ ଥିଲେ ।
୧୯୯୩-୨୦୦୦ ମଧ୍ୟରେ ଭାରତ ପାଇଁ ୧୭ ଟେଷ୍ଟ ଏବଂ ୧୦୪ ଦିନିକିଆ ଖେଳିଥିବା ଏହି ପୂର୍ବତନ ବାମହାତୀ ବ୍ୟାଟର ଇଭେଣ୍ଟ ସମୟରେ ଭଲ ସ୍ଥିତିରେ ଦେଖାଯାଇ ନଥିଲେ ଏବଂ ସପ୍ତାହ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କଠିନ ସମୟରେ, ଗାଭାସ୍କର କାମ୍ବଲିଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କରିଥିଲେ ଏବଂ କହିଥିଲେ ଯେ ୧୯୮୩ ବିଶ୍ୱକପ୍ ବିଜୟୀ ଦଳ କ୍ରିକେଟର ଏକାଠି ହୋଇ କାମ୍ବଲିଙ୍କୁ ସାହାଯ୍ୟ କରିବେ ଏବଂ ଏବେ ଗାଭାସ୍କର ତାଙ୍କର ପ୍ରତିଶ୍ରୁତି ପୂରଣ କରିଛନ୍ତି । ୧୯୯୯ ମସିହାରେ ଗାଭାସ୍କରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଚାମ୍ପ୍ସ ଫାଉଣ୍ଡେସନ କାମ୍ବଲିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି । ସୂଚନା ଅନୁସାରେ କାମ୍ବଲି ମାସିକ ୩୦ହଜାର ଟଙ୍କା ସହାୟତା ପାଇବେ ଏବଂ କାମ୍ବଲିଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ବାର୍ଷିକ ୩୦ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବ ବୋଲି ଗାଭାସ୍କର କହିଛନ୍ତି ।