କନକ ବ୍ୟୁରୋ: ଅବସରର ୮ ମାସ ପରେ ସରକାରୀ ବଙ୍ଗଳା ଖାଲି କରି ନାହାନ୍ତି ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ । ସୁପ୍ରିମକୋର୍ଟଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ କରାଯାଇଥିବା ଚିଠିକୁ ନେଇ ପ୍ରଥମ ଥର ପାଇଁ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପ୍ରଧାନ ବିଚାରପତି । ବ୍ୟକ୍ତିଗତ କାରଣରୁ ସେ ସରକାରୀ ବଙ୍ଗଳା ଖାଲି କରିପାରିନାହାନ୍ତି ବୋଲି ଜବାବ ଦେଇଛନ୍ତି ।

Advertisment

ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସରକାରୀ ବଙ୍ଗଳା ଖାଲି କରିବାକୁ ନେଇ କହିଛନ୍ତି ଯେ, ପରିବାରର ଆବଶ୍ୟକତା ଥିବାରୁ ସେ ସରକାରୀ ବାସଭବନ ଖାଲି କରି ପାରିନାହାନ୍ତି । ବର୍ତ୍ତମାନ ତାଙ୍କ ଦୁଇ ଝିଅଙ୍କ ଏହି ବଙ୍ଗଳାର ଆବଶ୍ୟକତା ରହିଛି । ଅବସରର ୮ ମାସ ପରେ ବି ସରକାରୀ ବାସଭବନ ନଛାଡ଼ିବା ପରେ ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତିଙ୍କ ପ୍ରତି କଠୋର ହୋଇଛନ୍ତି । ସୁପ୍ରିମକୋର୍ଟ କେନ୍ଦ୍ର ସହର ବିକାଶ ମନ୍ତ୍ରାଳୟକୁ ଚିଠି ଲେଖି ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ସରକାରୀ ବାସଭବନ ଖାଲି କରାଇବାକୁ କହିଛନ୍ତି ।  

ଏହି ଚିଠିକୁ ନେଇ ପୂର୍ବତନ ପ୍ରଧାନ ବିଚାରପତି କହିଛନ୍ତି ଯେ, ତାଙ୍କ ଦୁଇ ଝିଅ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ଦୁଇ ଝିଅ ନେମାଲାଇନ୍‌ ମୟୋପୈଥି ନାମକ ଏକ ଜନେଟିକ ରୋଗରେ ପୀଡ଼ିତ । ସେମାନଙ୍କ ଚିକିତ୍ସା ଦିଲ୍ଲୀର AIIMS ହସ୍ପିଟାଲ୍‌ରେ ଜାରି ରହିଛି । ଏହି କାରଣରୁ ସେ ଏପର୍ଯ୍ୟନ୍ତ ସରକାରୀ ବାସବଭନ ଖାଲି କରିବାରେ ଅସମର୍ଥ ରହିଛନ୍ତି । ଏହି ଘର ଛଡ଼ା ତାଙ୍କ ପାଇଁ ଅନ୍ୟ କୌଣସି ସୁବିଧାଜନକ ଘର ଖୋଜିବା ସହଜ ହୋଇପାରୁନି । ଏହାକୁ ନେଇ ସୁପ୍ରିମକୋର୍ଟର ବିଚାରପତି ତଥା ଅଫିସରଙ୍କୁ ଅବଗତ କରାଇଥିଲେ ଡିୱାଇ ଚନ୍ଦ୍ରଚୂଡ଼ । ସେ ଆହୁରି କହିଛନ୍ତି, ମୁଁ ଦେଶର ସର୍ବୋଚ୍ଚ ନ୍ୟାୟିକ ପଦବୀରେ କାର୍ଯ୍ୟ କରି ସାରିଛି । ଏଣୁ ମୋର ଦାୟିତ୍ୱବୋଧତା ରହିଛି । 

ଅବସର ପରେ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଦିଲ୍ଲୀର ତୁଗଲକ ରୋଡ ନିକଟରେ  ବଙ୍ଗଳା ଯୋଗାଇ ଦିଆଯାଇଥିଲା । କିନ୍ତୁ ସେଠାରେ ଏବେ ବି ମରାମତି କାର୍ଯ୍ୟ ଜାରି ରହିଛି । ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ମରାମତି କାର୍ଯ୍ୟ ସ୍ଥଗିତ ରହିଥିଲା । ଏଣୁ ଆଉ କିଛି ଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନରେ ରହିବାକୁ ଅନୁମତି ମାଗିଥିଲେ ଡିୱାଇ ଚନ୍ଦ୍ରଚୂଡ଼ । ମେ ୩୧ ତାରିଖ ଯାଏଁ ତାଙ୍କୁ ସେଠାରେ ରହିବାକୁ ଅନୁମତି ମିଳିଥିଲା । ବର୍ତ୍ତମାନ ଗତ ଜୁଲାଇ ୧ ତାରିଖରେ ସରକାରୀ ବାସଭବନ ଖାଲି କରିବାକୁ ଚିଠି କରିଛନ୍ତି ସୁପ୍ରିମକୋର୍ଟ ।