କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଅଣଓଡ଼ିଆ ଠିକାଦାରଙ୍କୁ ଅନୁକମ୍ପା । ସ୍ଥାନୀୟ ଠିକାଦରଙ୍କୁ ଅଣଦେଖା କରି ଅଣ ଓଡ଼ିଆ ଠିକାଦାରଙ୍କୁ ଶହ ଶହ କୋଟି ଟଙ୍କାର କାମ ଦେଇଥିଲେ ତତକାଳୀନ ବିଜେଡି ସରକାର । ୨୦୧୮ ମସିହାରୁ କାମ ପାଇ ନାହାନ୍ତି ସ୍ତାନୀୟ ଠିକାଦାର । ଏନେଇ ମୁହଁ ଖୋଲିଛନ୍ତି ଗଞ୍ଜାମ ଜିଲ୍ଲାର ଠିକାଦର ସଂଘ ।

ଶହ ଶହ କୋଟି ଟଙ୍କା ଖର୍ଚ୍ଚ ପରେ ବି ଗଂଜାମ ଜିଲ୍ଲାରେ ମେଗା ଜଳସେଚନ ପ୍ରକଳ୍ପ କାମ ସରୁନି । ତତକାଳୀନ ସରକାର ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ରଙ୍ଗେଇଲୁଣ୍ଡା ବ୍ଲକକୁ ମେଗା ଜଳ ଯୋଗାଣ ପ୍ରକଳ୍ପ ପାଇଁ ପାଖାପାଖି ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ଖଲ୍ଲିକୋଟ ବ୍ଲକ ପାଇଁ ୧୩୯ କୋଟି, ସାନଖେମୁଣ୍ଡି, ଚିକିଟି, ଦିଗପହଣ୍ଡି,ପାତ୍ରପୁର ବ୍ଲକ ପାଇଁ ୩୭୦ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ ହୋଇଛି ।

ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକ ପାଇଁ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ହେଲେ ବିଜେଡି ସରକାରର ଅଣ ଓଡ଼ିଆ ଠିକାଦାର ପ୍ରୀତି ଯୋଗୁଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ପରେ ବି ଅଧିକାଂଶ ଜାଗାରେ କାମ ଅଧପନ୍ତରିଆ ହୋଇପଡ଼ିଛି । ଅନ୍ୟପଟେ ଚୁପ ବସିଛି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ।
ଠିକାଦାର ସଂସ୍ଥାକୁ ଅଗ୍ରୀମ ଟଙ୍କା ପୈଠ । ବାତିଲ ହେବ କି ଟେଣ୍ଡର ? ଗଞ୍ଜାମ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଣଓଡ଼ିଆ ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ଅଟକଳ ମୂଲ୍ୟ ଅଗ୍ରୀମ ୨୦ ପ୍ରତିଶତ ପୈଠ କରିଥିବା ଅଭିଯୋଗ ହୋଇଛି । ତେଣୁ ଟେଣ୍ଡର ବାତିଲ କରାଯାଇ କାର୍ୟ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଠିକାଦାର ଦାବି କରିଛନ୍ତି ।

ସରକାର ବଦଳିବା ପରେ ପୂର୍ବ ସରକାରଙ୍କ ଅଣ ଓଡିଆ ପ୍ରୀତି ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ତେଣୁ ନୂଆ ସରକାର ଏ ବାବଦରେ କି ପଦକ୍ଷେପ ନେଉଛନ୍ତି ଓ କେବେ ସରିବ ମେଗା ଜଳସେଚନ ପ୍ରକଳ୍ପର କାମ ତା ଉପରେ ସମସ୍ତଙ୍କ ନଜର ରହିଛି ।