କନକ ବ୍ୟୁରୋ : ନଷ୍ଟ ହେଉଛି ଜଙ୍ଗଲ, ବିପଦରେ ବନ୍ୟଜନ୍ତୁ ଓ ମଣିଷ। ଓଡ଼ିଶାରେ ଜଙ୍ଗଲ ନଷ୍ଟ ଓ ମଣିଷ–ବନ୍ୟଜନ୍ତୁ ସଂଘର୍ଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ ତଥ୍ୟ ଓ ବିଧାନସଭାରେ ତଥ୍ୟ କହୁଛି ଯେ, ଗତ ୧୦ ବର୍ଷରେ ଏହି ସଂଘର୍ଷ ଭୟାବହ ରୂପ ନେଇଛି । ଦିନକୁ ଦିନ ନଷ୍ଟ ହୋଇଚାଲିଛି ଜଙ୍ଗଲ । ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲ ଅଗ୍ନିକାଣ୍ଡ , ଅବୈଧ ଗଛକାଟ, ଖଣିଜ ଉତ୍ତୋଳନ ଓ ଅନ୍ୟାନ୍ୟ ମାନବ କାର୍ଯ୍ୟକଳାପ ଯୋଗୁଁ ଜଙ୍ଗଲ ହ୍ରାସ ଘଟୁଛି। ଗତ କିଛି ବର୍ଷରେ ହଜାର ହଜାର ଜଙ୍ଗଲ ନିଆଁ ଘଟଣା ରେକର୍ଡ ହୋଇଛି। ବିଶେଷକରି ମହୁଲ ଫୁଲ ସଂଗ୍ରହ ପାଇଁ ଜାଣିଶୁଣି ନିଆଁ ଲଗାଇବା, ଜମି ପରିଷ୍କାର କରିବା ପ୍ରୟାସ ଓ ସଚେତନତାର ଅଭାବ ଏହାର ମୁଖ୍ୟ କାରଣ ବୋଲି ବିଶେଷଜ୍ଞ କହିଛନ୍ତି। ଅନେକ ସମୟରେ ଜଙ୍ଗଲ ବିଭାଗ ଓ ଜଙ୍ଗଲ ଉପରେ ନିର୍ଭର ରହୁଥିବା ଲୋକଙ୍କ ମଧ୍ୟରେ ସମନ୍ବୟ ରହୁନଥିବାରୁ ଉଭୟ ଜଙ୍ଗଲ ଓ ବନ୍ୟପ୍ରାଣୀ ବିପଦରେ ରହିଛି ବୋଲି ବିଶେଷଜ୍ଞ କହିଛନ୍ତି ।
ଗତ ୧୦ବର୍ଷ ମଧ୍ୟରେ ଓଡିଶାରେ ମଣିଷ-ବନ୍ୟପ୍ରାଣୀ ସଂଘର୍ଷରେ ୧୩୯୮ ଜଣଙ୍କର ମୃତ୍ୟୁ ହୋଇଛି। ବିଧାନସଭାରେ ପ୍ରକାଶିତ ତଥ୍ୟ ଅନୁସାରେ ଗତ ୧୦ ବର୍ଷରେ ଓଡ଼ିଶାରେ ପ୍ରାୟ ୫,୬୦୦ରୁ ଅଧିକ ବନ୍ୟଜନ୍ତୁ ପ୍ରାଣ ହରାଇଛନ୍ତି। ଏଥିରେ ହାତୀ, ହରିଣ, ଚିତା, ଅନ୍ୟାନ୍ୟ ଜଙ୍ଗଲୀ ପ୍ରାଣୀ ଅନ୍ତର୍ଭୁକ୍ତ। ଜଙ୍ଗଲ ନିଆଁ ବଡ ସମସ୍ୟା ହେଉଥିବାବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ବଡ ପତକ୍ଷେପ ନେଉଛନ୍ତି। ଜଙ୍ଗଲ ନିଆଁ ରୋକିବା ଦିଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ନିଜେ ମନିଟରିଂ କରୁଥିବା କହିଛନ୍ତି। ୫୧ଟି ସବଡିଭିଜନ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି । ଏନେଇ ଡିଏଫଓମାନଙ୍କ ସହ ନିୟମିତ ବୈଠକ ହେଉଥିବା ମନ୍ତ୍ରୀ କହିଛନ୍ତି। ଲୋକଙ୍କ ମଧ୍ୟରେ ସଚେତନା ଅଭାବ ଥିବାରୁ ଜଙ୍ଗଲରେ ନିଆଁ ଲଗାଇଦେଉଥିବା କହିଛନ୍ତି । ତେବେ ଏଆଇ ସାହାଯ୍ୟରେ ଜଙ୍ଗଲ ନିଆଁକୁ ରୋକିବା ପାଇଁ ବି ବିଭାଗ ପ୍ରୟାସ କରିଛି । ଜଙ୍ଗଲ ବଞ୍ଚିଲେ ହିଁ ବନ୍ୟଜନ୍ତୁ ବଞ୍ଚିବେ, ଆଉ ବନ୍ୟଜନ୍ତୁ ବଞ୍ଚିଲେ ପ୍ରାକୃତିକ ସନ୍ତୁଳନ ରହିବ। ସଚେତନତା, କଠୋର ଆଇନ ଲାଗୁକରଣ ଓ ସ୍ଥାନୀୟ ସମୁଦାୟଙ୍କ ସହଯୋଗ ବିନା ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବପର ନୁହଁ ବୋଲି ସୂଚାଇ ଦେଇଛନ୍ତି ବିଶେଷଜ୍ଞ ।
Follow Us