କନକ ବ୍ୟୁରୋ : ଖରା ଆରମ୍ଭ ହୋଇନି, ଅଥଚ ଜଳିଲେଣି ଜଙ୍ଗଲ । ହଁ, ଆମେ ଓଡ଼ିଶା କଥା ହିଁ କହୁଛୁ । ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ ୩୦୦ରୁ ଅଧିକ ସ୍ଥାନରେ ବନାଗ୍ନି ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏହି ଘଟଣା ସୂଚାଇଦେଇଛି ଯେ ସରକାରଙ୍କ ଜଙ୍ଗଲ ନିଆଁ ମୁକାବିଲା ପ୍ରସ୍ତୁତି ଫେଲ୍ ମାରିଛି ।
ନିଆଁର ଆଁରେ ଜଙ୍ଗଲ। ଖରା ଆରମ୍ଭରୁ ଜଳିଲାଣି । ମୟୂରଭଞ୍ଜ, ସୁନ୍ଦରଗଡ଼, ରାୟଗଡ଼ା, ବୌଦ୍ଧର ଜାମୁଖୋଲ ବନାଞ୍ଚଳ ଜଳୁଛି । ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି । ଜନବସତି ଆଡ଼କୁ ମୁହାଇଲାଣି । ହେକ୍ଟର ହେକ୍ଟର ଅଞ୍ଚଳ ଜଳି ପୋଡ଼ି ପାଉଁଶ ।
ସରକାରୀ ତଥ୍ୟ କହୁଛି, ଦେଶରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶାର ଜଙ୍ଗଲ ନିଆଁ । ଗୁରୁତ୍ୱପୂର୍ଣ୍ଣ ହେଉଛି, ସରକାର ଜଙ୍ଗଲ ଜଳିବା ଘଟଣାରେ ଗୋଟିଏ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ୧୭ ଆଦିବାସୀ ଜିଲ୍ଲାରେ ଲୋକମାନେ ପାରମ୍ପରିକ ଭାବେ ନିଆଁ ଲଗାଇଛନ୍ତି । ଗ୍ରାମାଞ୍ଚଳ ଲୋକେ ମହୁଲ ପାଇଁ ନିଆଁ ଲଗାଇଥାନ୍ତି ବୋଲି ଅଭିଯୋଗ କରି ଦୋଷ ଝାଡ଼ିଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ପ୍ରଶ୍ନ ଉଠୁଛି, ତେବେ ଜଙ୍ଗଲ ଜଗିଥିବା ସ୍କ୍ୱାର୍ଡ କରୁଛନ୍ତି କ'ଣ ?
ଜଙ୍ଗଲ ନିଆଁ କବଳରେ ବନ୍ୟଜନ୍ତୁ । ସେମାନଙ୍କ ବଞ୍ଚିବା ଏବେ ମୁସ୍କିଲ ହୋଇପଡ଼ିଛି । ସରକାର କିନ୍ତୁ ଏ ପ୍ରସଙ୍ଗରେ ନିରବ ରହିଛନ୍ତି ।