Elephant Photograph: (KanakNews)
କନକ ବ୍ୟୁରୋ: କମୁଛି ଜଙ୍ଗଲ, ଜନବସତିରେ ବଢ଼ୁଛି ଜଙ୍ଗଲୀ ହାତୀଙ୍କ ଅନୁପ୍ରବେଶ । ଆତଙ୍କ ଖେଳାଉଛନ୍ତି ଅମାନିଆ ହାତୀ । ଦିନକୁ ଦିନ ବଢୁଛି ବିପଦ। ପ୍ରତି ମୁହୂର୍ତ୍ତରେ ମୁହାଁମୁହିଁ ହେଉଛନ୍ତି ଜଙ୍ଗଲୀ ହାତୀ ଓ ମଣିଷ । ଅବିରତ ଚାଲିଛି ହାତୀ ମଣିଷ ଲଢେଇ । କିନ୍ତୁ ହାତୀଙ୍କ ପାଇଁ ଖୋଲି ପାରୁନି ଆଶ୍ରୟସ୍ଥଳୀ । ଜାଗା ଚିହ୍ନଟରେ ଅଟକିଯାଇଛି ରେସ୍କ୍ୟୁ ସେଣ୍ଟର ନିର୍ମାଣ ।
ଯେଉଁଠି ଦିନେ ହାତୀ ଦେଖିବା ସ୍ବପ୍ନ ଥିଲା, ଏବେ ସେଠି ମାଳ ମାଳ ଜଙ୍ଗଲୀ ହାତୀ। ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ କଥା । ପୂର୍ବରୁ କେବଳ ଧାନ ଫସଲ ଅମଳ ସମୟରେ ଏଠାକୁ କାଁ ଭାଁ ହାତୀ ଆସୁଥିଲେ। ଏବେ ସେଠି ବର୍ଷ ତମାମ ହାତୀ ଉପଦ୍ରବ। ଦିନ ରାତି କିଛି ମାନୁନାହାନ୍ତି, ଜନବସତିରେ ନିର୍ଭୟରେ ବୁଲୁଛନ୍ତି ଜଙ୍ଗଲୀ ହାତୀ । ଅସୁସ୍ଥ, ଅମାନିଆ, ଗୋଠଛଡ଼ା ହାତୀଙ୍କ ପାଇଁ ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ଜଙ୍ଗଲରେ ଏକ ରେସ୍କ୍ୟୁ ସେଣ୍ଟର୍ କରାଯିବା ନେଇ ପ୍ରସ୍ତାବ ଆସିଥିଲା। ହେଲେ ଜାଗା ଚିହ୍ନଟରେ ଅଟକିଯାଇଛି ପ୍ରକ୍ରିୟା ।
ଅଧିକ ପଢନ୍ତୁ: ଜଙ୍ଗଲୀ ହାତୀଙ୍କ ଉପଦ୍ରବ । ବସ୍ତା ସଦାନନ୍ଦପୁର ଗାଁରେ ମାତିଛନ୍ତି ୫୩ ଟିକିଆ ହାତୀ ପଲ ।
ବର୍ତ୍ତମାନ ବ୍ୟବସ୍ଥାରେ ଅସୁସ୍ଥ ହାତୀଙ୍କୁ ନନ୍ଦନକାନନ, କପିଳାସ କିମ୍ବା ଚନ୍ଦକା ସେଣ୍ଟରକୁ ଅଣାଯାଉଛି । ଯାହା ବ୍ୟୟବହୁଳ ଓ ସମୟସାପେକ୍ଷ । ସେଥିପାଇଁ ପ୍ରତି ସର୍କଲରେ ରେସ୍କ୍ୟୁ ସେଣ୍ଟର୍ ପାଇଁ ଯୋଜନା କରାଯାଇଥିଲା। ବ୍ରହ୍ମପୁର ସର୍କଲ ଅଧୀନ ଭଞ୍ଜନଗରରେ ମଧ୍ୟ ଏ ନେଇ ପ୍ରସ୍ତୁତ ହୋଇଥିଲା ରୋଡ୍ ମ୍ୟାପ୍। ପାଖାପାଖି ୧୦ରୁ ୧୫ ହେକ୍ଟର ଜଙ୍ଗଲ ଜମିରେ ରେସ୍କ୍ୟୁ ସେଣ୍ଟର୍ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହା ନିର୍ମାଣ ହେଲେ ଉତ୍ତର ଘୁମୁସୁର ବନଖଣ୍ଡ ସମେତ ଦକ୍ଷିଣ ଘୁମୁସର, ଫୁଲବାଣୀ, ନୟାଗଡ଼, ବାଲିଗୁଡ଼ା, ବୌଦ୍ଧର ଅସୁସ୍ଥ ହାତୀ ଚିକିତ୍ସା ପାଇବେ, ଗୋଠଛଡ଼ା ହାତୀ ଏଠାରେ ରହିବେ। ଏଥିପାଇଁ ସ୍ବତନ୍ତ୍ର ତାଲିମପ୍ରାପ୍ତ ମାହୁନ୍ତ ରହିବେ । କିନ୍ତୁ ଏ ସବୁ କିଛି କଳ୍ପନାରେ ରହିଯାଇଛି । ଜାଗା ଚିହ୍ନଟ ପରେ କାହିଁକି ଆଗେଇ ପାରୁନି ପ୍ରକ୍ରିୟା? ରେସ୍କ୍ୟୁ ସେଣ୍ଟର ନିର୍ମାଣରେ କ’ଣ ସାଜିଛି ବାଧକ? ତୁରନ୍ତ ଏଦିଗରେ ଧ୍ୟାନ ଦେଇ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।
Follow Us