କନକ ବ୍ୟୁରୋ : ଜଳୁଛି ଜଙ୍ଗଲ,ହୁତୁ ହୁତୁ ହୋଇ ମାଡି ଯାଉଛି ନିଆଁ । ବହୁ ମୂଲ୍ୟବାନ ସଂପତି ପୋଡି ନଷ୍ଟ ହୋଇଯାଉଛି । ନିଆଁ ପାହାଡ ଉପରକୁ ମାଡି ଚାଲିଛି । ଦୀର୍ଘ ୫ରୁ ୬ କିଲୋମିଟର ଧରି ନିଆଁ ମାଡି ଚାଲିଥିବା ବେଳେ ବନ ବିଭାଗର ଦେଖାନାହିଁ । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।
ଖରା ଆରମ୍ଭ ନହେଉଣୁ ହୁତୁ ହୁତୁ ହୋଇ ଜଳିଗଲାଣି ଜଙ୍ଗଲ । ଦିନକୁ ଦିନ ନିଆଁ ଜଙ୍ଗଲରେ ମାଡି ମାଡି ଯାଉଛି । ରାୟଗଡା ବନଖଣ୍ଡ ଅଧିନସ୍ଥ କୁମ୍ଭିକୋଟା ଠାରୁ ଗୁମ୍ମା ପର୍ଯ୍ୟନ୍ତ ଏହି ଜଙ୍ଗଲର । ନିଆଁ ଲାଗିବା ଦ୍ୱାରା ଏହି ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଗଲାଣି । ଖାଲି ସେତିକି ନୁହେଁ ବନ୍ୟଜନ୍ତୁ ମଧ୍ୟ ପୋଡି ଯାଉଥିବା ବେଳେ କିଛି ଗାଁ ମୁହାଁ ହେବାରେ ଲାଗିଛନ୍ତି । ହେଲେ ନିଆଁ ଲିଭାଇବା ପାଇଁ ବନ ବିଭାଗର କର୍ମଚାରୀଙ୍କ ଦେଖାନାହିଁ । ଏହି ନିଆଁକୁ ଦେଖି ଜଙ୍ଗଲ ରାସ୍ତା ଦେଇ ଯାଉଥୁବା ଲୋକେ ବି ଭୟଭୀତ ହୋଇପଡୁଛନ୍ତି ।
ରାୟଗଡା ବନାଞ୍ଚଳ ଅଧିନରେ ଥିବା ୧୭ଟି ସଂରକ୍ଷିତ ଓ ୨୩ଟି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ରହିଛି । ରାୟଗଡା ଓ ମୁନିଗୁଡା ରେଞ୍ଜ ଅଧିନସ୍ଥ ୧୦୫ ହେକ୍ଟର ଜଙ୍ଗଲରେ ନିଆଁ ଲାଗିଥିବା ରାୟଗଡା ବନାଚଂଳ ପକ୍ଷରୁ କୁହାଯାଇଛି । ରାୟଗଡା ଜିଲ୍ଲାରେ ସମୁଦାୟ ୨,୨୯,୨୬୭ ହେକ୍ଟର ଜଙ୍ଗଲ ଜମି ରହିଛି । ୧୨,୯୦୦ ହେକ୍ଟରରେ କୋଦୁପାଡୁ ସଂରକ୍ଷିତ ଜଙ୍ଗଲ ପୁରି ରହିଛି । ସାଟେଲାଇଟ୍ ଯୋଗେ ନିଆଁ ଲାଗିବା ସ୍ଥାନ ଚିହ୍ନଟ ହବା ପରେ ନିଆଁ ଲିଭାଇବା ପାଇଁ ୧୫ଟି ଗୃପ କରାଯାଇଛି । ଯେଉଁଥିରେ ୧୦ ଜଣ ତାଲିମପ୍ରାପ୍ତ ବନ କର୍ମଚାରୀ ରହିଥିବା ବେଳେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୧୫୧ ଜଣ ଆଉଟସୋର୍ସିଂ କର୍ମଚାରୀ ରହିଛନ୍ତି । ଜିଲ୍ଲାର ୧୫ଟି ସ୍ଥାନରେ ଲୋକଙ୍କୁ ବନବିଭାଗ ପକ୍ଷରୁ ସଚେତନତା କରାଯାଉଛି । ଜଙ୍ଗଲର ମୂଲ୍ୟବାନ ଗଛ ସହ ବନ୍ୟଜନ୍ତୁ ମାନଙ୍କ ଜୀବନ ହାନି ଘଟୁଥିବା ବେଳେ ବନ ବିଭାଗ କର୍ମଚାରୀ ଏହାକୁ ନିୟନ୍ତ୍ରଣ ତଥା ରୋକିବା ଦିଗରେ ଆବଶ୍ୟକିୟ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।