କନକ ବ୍ୟୁରୋ :  ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀ ପଲ । ଅମଳ ହେବାକୁ ଯାଉଥିବା ଫସଲକୁ ଖାଇଯାଉଛନ୍ତି । ୩ ମାସ ହେଲାଣି ହାତୀଙ୍କ ଉପଦ୍ରବ ଲାଗିରହିଥିବା ବେଳେ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ନିଜ ଫସଲକୁ କେମିତି ସୁରକ୍ଷା ଦେବେ ଜାଣିପାରୁନାହାନ୍ତି । ବନ ବିଭାଗ ବି ହାତୀଙ୍କୁ ଘଉଡ଼ାଇବାରେ ବିଫଳ ହୋଇଛି। ୩ ମାସ ହେଲାଣି ଗଜପତି କାଶୀନଗର ଓ ଗୋଷାଣୀ ବ୍ଲକରେ ଲାଗିରହିଛି ହାତୀ ଉପଦ୍ରବ ।  ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ।  ଯେତିକି ଖାଉଛନ୍ତି, ଦଳି ଚକଟି ବ୍ୟାପକ ନଷ୍ଟ ବି କରୁଛନ୍ତି ।  ଧାନ, ଆଖୁ, ପନିପରିବା କିଛି ଛାଡ଼ୁନାହାନ୍ତି  । 

Advertisment

ସମ୍ବଲପୁର କୁଚିଣ୍ଡାରେ ମଣ୍ଡି ଅଚଳାବସ୍ଥା : କ୍ବିଣ୍ଟାଲ୍‌ ପିଛା ୫କେଜି ଧାନ କଟାଯାଉଥିବା ଅଭିଯୋଗ

ନିଜ ଅମଳ ଫସଲକୁ ଏମିତି ନଷ୍ଟ ହେଉଥିବାର ଦେଖି ଚିନ୍ତାରେ ଚାଷୀ । ଅନ୍ୟପଟେ ହାତୀ ଚଳପ୍ରଚଳ ସମୟରେ ହାତୀର ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଉଛି ।  ଫଳରେ ଅନ୍ଧାର ହୋଇଯାଉଛି ଗାଁ । ତେଣୁ ଏହି ସବୁ ଅଞ୍ଚଳରେ ସୋଲାର ଲାଇଟ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।   ଅନେକ ଚାଷୀଙ୍କ ଚାଷ ଜମି ଓ ଘର ଦ୍ବାର ନଷ୍ଟ କରିଛନ୍ତି ହାତୀପଲ ।  କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି କ୍ଷତିପୂରଣ ମିଳୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।  କ୍ଷତିଗ୍ରସ୍ତ ଚାଷୀ ସରକାରୀ ନୀତିନିୟମ ସମ୍ପର୍କରେ ଅବଗତ ନଥିବାରୁ ଉପଯୁକ୍ତ ପଦ୍ଧତିରେ ଆବେଦନ କରି ନପାରି ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । 
 ୨୦୨୩ରେ ୩୦ ଜଣ ଆବେଦନକାରୀଙ୍କୁ ୪ ଲକ୍ଷ ୧୩ ହଜାର ୮୬୫ ଟଙ୍କା , ୨୦୨୪ରେ ୧୩୭ ଆବେଦନକାରୀଙ୍କୁ ୬ ଲକ୍ଷ ୯୦ ହଜାର ୨୬୫ ଟଙ୍କା ପ୍ରଦାନ କରାଯାଇଥିଲା ।  ସେହିପରି ୨୦୨୫ରେ ୨୦୨ ଜଣ ଆବେଦନକାରୀଙ୍କୁ ମୋଟ ୬ ଲକ୍ଷ ୫୧ ହଜାର ୮୩୫ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।  ଅନୁକମ୍ପା ଆପ କିମ୍ବା ଜନସେବା କେନ୍ଦ୍ରରେ ଆବେଦନ କଲେ ଗୋଟିଏ ସପ୍ତାହ ମଧ୍ୟରେ ସହାୟତା ରାଶି ପାଇପାରିବେ ବୋଲି କହିଛନ୍ତି ଏସିଏଫ୍‌ ଅରୁଣ କୁମାର ସାହୁ । 

ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେବାର କାରଣ କ’ଣ? ଏହାର ଉତ୍ତର ଖୋଜିଲେ ମାନବ ସମାଜ ନିଜକୁ ହିଁ ପାଇବ ।   ଚାକଚକ୍ୟପୂର୍ଣ୍ଣ ଜୀବନ ଓ ଖଣିଖାଦାନ ପାଇଁ ଜଙ୍ଗଲ କଟା ଚାଲିଛି । ସେମାନଙ୍କ ବାସ ଉଜୁଡ଼ି ଯାଉଛି, ଖାଦ୍ୟର ଅଭାବ ରହୁଛି  ।  ଫଳରେ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଛନ୍ତି, ଯାହାର ପରିଣାମ ବି ଆମେ ନିଜେ ଭୋଗୁଛୁ  । 


---