କନକ ବ୍ୟୁରୋ : ଚନ୍ଦକା-ଡମପଡ଼ା ହାତୀ ଅଭୟାରଣ୍ୟରୁ ବେଆଇନ ଭାବେ ମୋରମ ଚୋରା ଚାଲାଣ ଘଟଣାରେ ବନ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସମ୍ପୃକ୍ତ ଅଞ୍ଚଳର ଫରେଷ୍ଟର ସୌମ୍ୟରଞ୍ଜନ ବେଉରାଙ୍କୁ ନିଲମ୍ବିତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଚନ୍ଦକା ଅଭୟାରଣ୍ୟର ଗୋଡ଼ିବାରି ସେକ୍ସନ ଅଞ୍ଚଳରୁ ବ୍ୟାପକ ପରିମାଣରେ ମୋରମ ଖନନ କରାଯାଇ ବାହାରକୁ ଚୋରା ଚାଲାଣ ହେଉଥିଲା । ଏହି ବେଆଇନ କାର୍ଯ୍ୟକଳାପ ବନ ବିଭାଗର କିଛି ଅଧିକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତିରେ ଚାଲିଥିବା ଅଭିଯୋଗ ହୋଇଥିଲା ।

Advertisment

ଘଟଣା ସମ୍ପର୍କରେ ଖବର ପାଇବା ପରେ ଚନ୍ଦକା ଡିଏଫଓ ବିନୋଦ ଆଚାର୍ଯ୍ୟ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।  ଖଣି ଖନନ ପାଇଁ କଣ୍ଟ୍ରାକ୍ଟରକୁ ନିୟୋଜିତ କରିଥିଲେ ସୌମ୍ୟରଞ୍ଜନ । ଚନ୍ଦକା ଡିଏଫ୍‌ଓଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଗତକାଲି ଏସିଏଫ୍ ମଧୁସ୍ମିତା ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରୁ କାର୍ଯ୍ୟରେ ଅବହେଳା ଏବଂ ବେଆଇନ କାର୍ଯ୍ୟ ରୋକିବାରେ ବିଫଳ ହୋଇଥିବା ନେଇ ପ୍ରମାଣ ମିଳିବା ପରେ ଫରେଷ୍ଟର ସୌମ୍ୟରଞ୍ଜନ ବେଉରାଙ୍କୁ ସସପେଣ୍ଡ କରାଯାଇଛି ।  ଫରେଷ୍ଟର ସୌମ୍ୟରଞ୍ଜନ ବେଉରାଙ୍କ ବିରୋଧରେ ଏହି ନିଲମ୍ବନ ଆଦେଶ ଦିଆଯାଇଛି । ଚନ୍ଦକା ଅଭୟାରଣ୍ୟରେ କିଭଳି ବେଧଡକ୍ ଭାବେ ମୋରମ୍ ଚୋରି ହେଉଛି, ସେନେଇ ଗତ ୨ ଦିନ ଧରି କନକ ନ୍ୟୁଜ ଖବର ପ୍ରସାରଣ କରିଆସୁଛି ।