କନକ ବ୍ୟୁରୋ : ଗଦା ହୋଇଛି କୋଟି କୋଟି ଟଙ୍କାର କାଗଜପତ୍ର । ପ୍ଲଟ୍ ଓ ଆଉ ଜମି ଖୋଜିଖୋଜି ଭିଜିଲାନ୍ସ ଅଧିକାରୀଙ୍କ ଝାଳ ବୋହିଗଲାଣି , ଲାପଟପ୍ ଧରି ହିସାବ ଚାଲିଛି । ନକ୍‌ସା ବୁଝିବାକୁ ଅମିନ ଡକାଯାଇଛି । ପଟ୍ଟା, ପାଉତିରେ ଭର୍ତ୍ତି ହୋଇଛି ପଲଙ୍କ । ହଜାର ହଜାର କାଗଜ ଗଦା ଭିତରୁ ମିଳିଛି ୧୧୫ ପ୍ଲଟ୍‌ର ହିସାବ । ଜାଣି ଆଶ୍ଚର୍ଯ୍ୟ ହେବେ, କୌଣସି ଶିଳ୍ପପତି କିମ୍ବା ରାଜନେତାଙ୍କ ଘରର ଚିତ୍ର ନୁହେଁ, ବରଂ ଜଣେ ସରକାରୀ ବାବୁଙ୍କର । ନାଁ- ନିତ୍ୟାନନ୍ଦ ନାୟକ, କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍‌ଓ । ଘର ତ ନୁହେଁ, ଯେମିତି ରାଜମହଲ । ଫିଲ୍ମ ଷ୍ଟାରଙ୍କ ଭଳି ଜୀବନଯାପନ କରୁଥିଲେ ନିତ୍ୟାନନ୍ଦ । ଡିଏଫ୍‌ଓଙ୍କ ଘର ଭିତରେ କେବଳ ଲକ୍ଷଲକ୍ଷ ଟଙ୍କାର କାଠକାମ ହୋଇଛି । ହାତୀଠୁ ଆରମ୍ଭ କରି ପଲଙ୍କ ପର୍ଯ୍ୟନ୍ତ, ଡାଇନିଂଠୁ ଆରମ୍ଭ କରି ସୋଫା ପର୍ଯ୍ୟନ୍ତ । ଝରକା, କବାଟ, କପବୋର୍ଡ, ସବୁ ଶାଗୁଆନ କାଠରେ ଭର୍ତ୍ତି । ଚକ୍‌ଚକ୍‌ ଚଟାଣ ଠାରୁ ସିଲିଂ ପର୍ଯ୍ୟନ୍ତ ସବୁକିଛି ଇମ୍ପୋଟେଡ୍ । 

Advertisment

ଭିଜିଲାନ୍ସ ଯେତେ ଖୋଳୁଛି, ସେତେ ମିଳୁଛି । କେନ୍ଦୁଝରର ଏହି କରିତକର୍ମା ବାବୁ କେମିତି ରାତାରାତି କୋଟିପତି ହେଲେ, ସେନେଇ ଝାଳବୁହା ଜେରା ଚାଲିଛି । ପ୍ରଶ୍ନବାଣରେ ଘାଇଲା ନିତ୍ୟାନନ୍ଦ ଖାଲି ତ୍ରାହିତ୍ରାହି ଡାକୁଛନ୍ତି । କିନ୍ତୁ ଗୋଟିଏ ଟଙ୍କାର ହିସାବ ଦେଇପାରୁନାହାନ୍ତି । କେନ୍ଦୁଝରର ଏହି କରିତକର୍ମା କଳାକାରଙ୍କ କାରନାମା ଏବେ ପଦାରେ ପଡ଼ିଛି । ଚାକିରି କାଳ ଭିତରେ କେମିତି ଦେଇଥିଲେ ସରକାରଙ୍କୁ ଚକମା, ଟିକେ ନଜର ପକାନ୍ତୁ । 

୧୯୯୨ରୁ ୨୦୦୬: ଅନୁଗୁଳ ଛେଣ୍ଡିପଦାରେ ୨ଟି ପ୍ଲଟ୍ କିଣିଥିଲେ
୨୦୦୭ରୁ ୨୦୧୫: ଅନୁଗୁଳ ଛେଣ୍ଡିପଦାରେ ପୁଣି ୬୪ଟି ପ୍ଲଟ୍ କିଣିଥିଲେ
୨୦୧୫ରୁ ୨୦୨୨: ଅନୁଗୁଳ ଛେଣ୍ଡିପଦାରେ ଆଉ ୩୯ଟି ପ୍ଲଟ୍ କିଣିଥିଲେ
୨୦୨୨ରୁ ୨୦୨୪ ଭିତରେ ୮ଟି ଏବଂ ୨୦୨୪ ପରଠାରୁ ଆଉ ଦୁଇଟି ପ୍ଲଟ୍ କିଣିବା ପରେ ଚର୍ଚ୍ଚାକୁ ଆସିଥିଲେ । 

ଫରେଷ୍ଟ ରେଞ୍ଜରରୁ କ୍ୟାରିୟର ଆରମ୍ଭ କରିଥିବା ନିତ୍ୟାନନ୍ଦ, ୧୧୫ ପ୍ଲଟ୍ କିଣି କେମିତି ଜଙ୍ଗଲରାଜ କରୁଥିଲେ, ଭିଜିଲାନ୍ସ ରେଡ୍ ପରେ ତାହା ଧୀରେ ଧୀରେ ସାମ୍ନାକୁ ଆସିଛି । ଏକା ଖାଇ ଖୋଳ କରିନାହାନ୍ତି, ବରଂ ସମସ୍ତଙ୍କୁ ଫସାଇଛନ୍ତି । ବାବୁଙ୍କ ନାଁରେ ୫୩ଟି, ସ୍ତ୍ରୀଙ୍କ ନାଁରେ ୪୨ଟି, ଦୁଇ ପୁଅଙ୍କ ନାଁରେ ୧୬ଟି ଏବଂ ଝିଅ ନାଁରେ ରହିଛି ୪ଟି ପ୍ଲଟ୍ ।

ମିଳିଥିବା ମାଳମାଳ ସୁନା, ରୁପା ଗହଣା ଟଙ୍କାକୁ ନେଇ ହିସାବ ନିକାସ ଚାଲିଛି। ଏବେବି ଲକର ଖୋଲା ହୋଇନି । ଏହାସହିତ ବୀମା, ବ୍ୟାଙ୍କ୍‌ରେ ଥିବା ଟଙ୍କାର ହିସାବ ହୋଇନି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସକୁ ମିଳିଥିବା ତଥ୍ୟ କହୁଛି, ବାବୁଙ୍କ ସମ୍ପତ୍ତି ୧୦ କୋଟିରୁ ଊର୍ଦ୍ଧ୍ବ । ଜଙ୍ଗଲ ଦାୟିତ୍ବରେ ଥିବା ଏହି ସରକାରୀ ବାବୁଙ୍କ ଏକର ଏକର ଜମି କିଣିବା । ଆଉ ଶାଗୁଆନ କାଠ ପ୍ରେମ ଜଙ୍ଗଲ ବାବୁଙ୍କ ପୋଲ ଖୋଲି ଦେଇଛି ।