କନକ ବ୍ୟୁରୋ : ଜଙ୍ଗଲ ଜମିର ସୁରକ୍ଷା ନିମନ୍ତେ ସରକାରଙ୍କ ଅନେକ ନିୟମ । ହେଲେ ଏଠି ଖୋଦ୍‌ ସରକାରୀ ବିଭାଗ ଜମି ମାଫିଆ ସାଜିଛି । ଜଙ୍ଗଲ ଜମିର ସ୍ଥିତିବାନ ପଟ୍ଟା ୩ଟି ପରିବାର ହାତକୁ ଟେକି ଦେଇଛି ରାଜସ୍ୱ ବିଭାଗ । ଏମିତି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରୁ ।

Advertisment

ମହାକାଳପଡ଼ା ତହସିଲ ଅଧୀନରେ ଥିବା ଭିତରକନିକା ଜାତୀୟ ଉଦ୍ୟାନର ବତୀଘର ପଞ୍ଚାୟତ କଂସାରଡିଆ ସଂରକ୍ଷିତ ଜଙ୍ଗଲର ୨୫ ଏକର ଜମି ହାତେଇ ନେଇଛନ୍ତି ୩ଟି ପରିବାର । କିସମ ପରିବର୍ତ୍ତନ କରି ରାଜସ୍ୱ ବିଭାଗ ଜମିର ପଟ୍ଟା ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ଜମି ହାତେଇଥିବା ପରିବାରଙ୍କ ମଧ୍ୟରେ ଜଗତସିଂହପୁରର ଗୋଟିଏ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଟି ପରିବାର ରହିଛନ୍ତି । ବନ ବିଭାଗ ନଜରକୁ ଘଟଣାଟି ଆସିବା ପରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ବନ ବିଭାଗ ଅଧିକାରୀ ।

ସମୁଦାୟ ୧୩୩୪ ହଜାର ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ କଂସାରଡ଼ିଆ ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ ପ୍ରକାରର ଗଛ ଲତା ଭର୍ତ୍ତି ରହିଛି । କେଉଁ ପରିସ୍ଥିତିରେ ସ୍ଥିତିବାନ ଜମିରେ ପରିବର୍ତ୍ତନ କରାଗଲା ? ରାଜସ୍ୱ ବିଭାଗ କାହିଁକି ପଟ୍ଟା ପ୍ରଦାନ କଲା ? ତାହା ଏବେ ବଡ଼ ପ୍ରଶ୍ନ  ।

ତେବେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜମିକୁ ମୂଳ ଖାତାକୁ ଫେରାଇ ଆଣିବା ପାଇଁ ଦାବି ହୋଇଛି ।