କନକ ବ୍ୟୁରୋ : ନିଆଁର ଆଁରେ ଜଙ୍ଗଲ। ରାଜ୍ୟର କେଉଁଠି ନା କେଉଁଠି ଜଳୁଛି ସଂରକ୍ଷିତ ଜଙ୍ଗଲ। କେହି ଦୁର୍ବୃତ୍ତ ଲଗାଉଥିବା ହେଉ କିମ୍ବା ଶିକାର କରିବାକୁ ଯାଇ ଶିକାରୀ ନିଆଁ ଲଗାଇ ଦେଉଛନ୍ତି। ଏହି ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ଯାଇ ନାକେଦମ୍ ହେଉଛି ବନ ବିଭାଗ। ସେପଟେ ଏହାଦ୍ବାରା ନଷ୍ଟ ହେଉଛି ଜୈବ ବିବିଧତା। 

Advertisment

ଖରାଦିନ ଆରମ୍ଭ ହେଉହେଉ, ବନ ବିଭାଗ ପାଇଁ ମୁଣ୍ଡବିନ୍ଧା ପାଲଟିଛି ଜଙ୍ଗଲ ନିଆଁ। ରାଜ୍ୟର ବିଭିନ୍ନ ସ୍ଥାନରେ ହୁତ୍‌ହୁତ୍‌ ହୋଇ ଜଳୁଛି ହେକ୍ଟର ହେକ୍ଟର ଜଙ୍ଗଲ। ଏହା ଆୟତ୍ତ ହେବ କ’ଣ, ବରଂ ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟାପିଚାଲୁଛି। ବନଖଣ୍ଡର ୭ଟି ରେଞ୍ଜରେ ୫ ହଜାର ୬୦୪ ହେକ୍ଟର ଜଙ୍ଗଲ ଜଳୁଛି। ଘଟଗାଁ ଓ ତେଲକୋଇ ବନାଞ୍ଚଳରେ ତ ସ୍ଥିତି ଅଣାୟତ୍ତ। ଏହା କେବଳ ଯେ ମୂଲ୍ୟବାନ ଗଛ ନଷ୍ଟ କରୁନି, ଜଙ୍ଗଲୀ ଜନ୍ତୁଙ୍କ ବାସସ୍ଥାନ ବି ନଷ୍ଟ ହେଉଛି। ବନଖଣ୍ଡ ଅଧିକାରୀ ଏହାକୁ ମଣିଷକୃତ କହି, ମହୁଲ ଗୋଟାଳି ଓ ଶିକାରୀଙ୍କୁ ଦାୟୀ କରିଛନ୍ତି। 

 ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବନାଗ୍ନି ସ୍ଥିତି ଅଣାୟତ୍ତ।  ଜିଲ୍ଲାର ମୋଟ ୩୯ଟି ପଏଣ୍ଟରେ ନିଆଁ ଲାଗିଥିବା ଚିହ୍ନଟ କରିଛି ବନ ବିଭାଗ। ଆଉ ଏହି ନିଆଁର ଆଁରେ ଗଛପତ୍ର, ବନ୍ୟଜନ୍ତୁ ସବୁ ପୋଡ଼ିଯାଉଛନ୍ତି। ଏବେ ମହୁଲ ସିଜିନ୍ ହୋଇଥିବାରୁ ମହୁଲ ଗୋଟାଳି ନିଜ ଜୀବିକା ପାଇଁ ଜଙ୍ଗଲକୁ ଯାଉଛନ୍ତି ଏବଂ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା କୁହାଯାଉଛି। ଏହାଛଡ଼ା, ଶିକାରୀ ମାନେ ମଧ୍ୟ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇ ଦେଉଥିବା ସନ୍ଦେହ କରାଯାଉଛି। ଗୋଟେପଟେ ଜଙ୍ଗଲ ଜଳୁଛି ଅନ୍ୟପଟେ କେବଳ ସଚେତନତା କାର୍ଯ୍ୟକ୍ରମ କରି ଚୁପ୍ ବସିପଡୁଛି ବିଭାଗ। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ। 

 ତଥ୍ୟ ଅନୁସାରେ, ମାର୍ଚ୍ଚ ସୁଦ୍ଧା ସାରା ଓଡ଼ିଶାର ୨ ହଜାରରୁ ଅଧିକ ପଏଣ୍ଟରେ ଜଙ୍ଗଲ ଜଳୁଛି। ଓଡ଼ିଶା ଫରେଷ୍ଟ ଆକ୍ଟ ୧୯୭୨ ଅନୁସାରେ, ସଂରକ୍ଷିତ ଜଙ୍ଗଲରେ ଯଦି କେହି ନିଆଁ ଲଗାଇବା ନଜରକୁ ଆସେ, ତେବେ ୩ରୁ ୭ ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି। କିନ୍ତୁ ଏହି ଦଣ୍ଡବିଧାନ କଡ଼ାକଡ଼ି ହେଉନଥିବାରୁ ଲୋକଙ୍କର ଭୟ ରହୁନି।