କନକ ବ୍ୟୁରୋ : ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟଙ୍କ ଚିନ୍ତାପ୍ରକଟ ପରେ ସତ୍ୟପାଠ ଦାଖଲ କରିଛି ଜଙ୍ଗଲ ବିଭାଗ । ଏହି ସତ୍ୟପାଠ ଜଙ୍ଗଲ ବିଭାଗର ଅପରାଗତାକୁ ପଦାରେ ପକାଇଛି । ହାତୀ ଶିକାର ବୃଦ୍ଧି ପଛର କାରଣ ଏହି ସତ୍ୟପାଠରେ ହିଁ ଲୁଚି ରହିଛି । କଠୋର ଦଣ୍ଡବିଧାନ ନହେବା ଯୋଗୁଁ ଅନାୟସରେ ହାତୀ ଶିକାର କରୁଛନ୍ତି ଶିକାରୀ । ୨୦୨୦ରୁ ୨୦୨୪ ମଧ୍ୟରେ ୨୭୮ ଜଣ ଶିକାରୀ ଗିରଫ ହୋଇଛନ୍ତି । ୪ ବର୍ଷରେ ୧୦୫ଟି ମାମଲା ରୁଜୁ ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ବି ଦୋଷୀ ସାବ୍ୟସ୍ତ କରିବାରେ କୋର୍ଟ ସାମ୍ନାରେ ଫେଲ ମାରିଛି ଜଙ୍ଗଲ ବିଭାଗ।
ଗତ ୪ ବର୍ଷରେ ବିଭିନ୍ନ କାରଣରୁ ୩୮୭ ହାତୀ ମୃତ୍ୟୁବରଣ କରିଛନ୍ତି । ଯେଉଁଥିରେ ଅନେକ ହାତୀଙ୍କୁ ଶିକାର କରାଯାଇଛି । କିନ୍ତୁ ଶିକାରୀଙ୍କୁ ଦଣ୍ଡ ଦେବାକୁ ଜୁ ଜୁଟାଇ ପାରୁନି ଜଙ୍ଗଲବିଭାଗ। ସରକାର ସବୁ ଜିଲ୍ଲାରେ ଜୀବଜନ୍ତୁଙ୍କ ମାମଲାର ତ୍ବରିତ୍ବ ଶୁଣାଣି ପାଇଁ ଫାଷ୍ଟଟ୍ରାକ କୋର୍ଟର ଘୋଷଣା କରିଛନ୍ତି । କିନ୍ତୁ ଏବେ ବି ଦୁର୍ବଳ ଭିତ୍ତିଭୂମି ଓ ପ୍ରଶାସନିକ ଉଦାସୀନତା ହାତୀଙ୍କ ନ୍ୟାୟ ଦେବାରେ ସବୁଠୁ ବଡ ବାଧକ ସାଜିଛି ।
- ଧାର୍ଯ୍ୟ ସମୟରେ ଦାଖଲ ହୋଇପାରୁନି ଚାର୍ଜସିଟ
- ମାମଲାର ଶୁଣାଣି ପାଇଁ ନାହିଁ ଫାଷ୍ଟଟ୍ରାକ କୋର୍ଟ
- ଜଙ୍ଗଲ ବିଭାଗର ମାମଲାର ଶୁଣାଣି ପାଇଁ ନାହାନ୍ତି ସ୍ବତନ୍ତ୍ର ବିଚାରପତି
- ଜଙ୍ଗଲ ବିଭାଗର କର୍ମଚାରୀ ଆଇନଗତ ଭାବେ ତଥ୍ୟ ପ୍ରମାଣ ଦାଖଲ କରିବାରେ ଦୁର୍ବଳ
ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଜଙ୍ଗଲ ବିଭାଗକୁ ହାତଖୋଲା ଅର୍ଥ ଦିଆଯାଉଛି । କିନ୍ତୁ ଜଙ୍ଗଲରେ ଦିନକୁ ଦିନ ଶିକାରୀଙ୍କ ସଂଖ୍ୟା ବଢୁଥିବା ବେଳେ ଜଙ୍ଗଲ ଜନ୍ତୁଙ୍କ ସଂଖ୍ୟା କମୁଛି । କେବଳ ଗିରଫ କରି ବାହାବା ନେଉଛି ଜଙ୍ଗଲ ବିଭାଗ। ଦଣ୍ଡବିଧାନ ପୂରା ଶୂନ । ଏହାଦ୍ବାରା ନୀରିହ ଜୀବଜନ୍ତୁଙ୍କୁ ନ୍ୟାୟ ତ ମିଳୁନି ବରଂ ଶିକାରୀଙ୍କ ମନରେ ଅବାଧ ଶିକାର ପାଇଁ ସାହସ ବଢୁଛି ।