କନକବ୍ୟୁରୋ : ବନ ବିଭାଗ ହାତରେ ଦୁଇ ଶିକାରୀ । ବାଲେଶ୍ବର ଜିଲ୍ଲା କୁଳଡିହା ରେଞ୍ଜ ଅଧୀନ ଖୁଣ୍ଟାପାଟଣା ବିଟ୍ ହାଉସର ସିଂଘାଖୁଣ୍ଟା ପଞ୍ଚାୟତ ସରଳିଆ ଗ୍ରାମରୁ ଦୁଇ ସଶସ୍ତ୍ର ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ସୂଚନା ଅନୁସାରେ, ଚଳିତବର୍ଷ ଜାନୁଆରୀ ୨୦ ତାରିଖରେ କୁଳଡିହାରେ ଶିକାରୀଙ୍କ ଅନୁପ୍ରବେଶ ନେଇ ଖବର ପ୍ରକାଶ ହୋଇଥିଲା ।

Advertisment

ଯେଉଁ ଆଧାରରେ କୁଳଡିହା ରେଞ୍ଜ ଅଧିକାରୀ ତଥା ଭାରାପ୍ରାପ୍ତ ଏସିଏଫଓ ସୁବ୍ରତ କୁମାର ବେହେରା ଜାଲ ବିଛାଇଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ  ବନ ବିଭାଗର ଟିମ୍ ଦୁଇ ଶିକାରୀଙ୍କୁ କାବୁ କରିଛନ୍ତି ।  ଶିକାରୀ ଦୁଇଜଣ ସୋର ଥାନା ଅଧୀନ ସିଂଘାଖୁଣ୍ଟା ପଞ୍ଚାୟତ ସରଳିଆ ଗ୍ରାମର ମଙ୍ଗୁଳି ସିଂ ଓ ଜିତୁ ପାତ୍ର ବୋଲି ଜଣା ପଡିଛି ।  ଶିକାରୀଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସହ ହରିଣର ଅବଶେଷ, କିଛି ବନ୍ଧୁକ ପ୍ରସ୍ତୁତ ସରଞ୍ଜାମ ଓ ଶିକାର ନିମନ୍ତେ ଫାଶ ସରଞ୍ଜାମ ଜବତ କରାଯାଇଛି ।

ସେପଟେ  ବେଆଇନ ବନ୍ୟଜନ୍ତୁ ଶିକାର ଉପରେ  କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇଛି । ଦେଶୀ ବନ୍ଧୁକ,ଝିଙ୍କ,  ଗୁରାଣ୍ଡି, ଶମର ଶିଙ୍ଗ ଜବତ l ସମ୍ବଲପୁର ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ  ଖଳାଶୁଣି ବନ୍ୟପ୍ରାଣୀ ବନାଞ୍ଚଳ କିସିଣ୍ଡା  ଅଞ୍ଚଳରେ  ଦିନକୁ ଦିନ ବେଆଇନ  ବନ୍ୟ ଜନ୍ତୁ ଶିକାରୀ  ବଢ଼ିବାରେ ଲାଗିଛି ।

ହେଲେ ଏହି ବେଆଇନ ବନ୍ୟ ଜନ୍ତୁ ଶିକାର ଉପରେ କିସିଣ୍ଡା  ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ  ମଙ୍ଗଳବାର ଗୟଳମୁଣ୍ଡି ଓ ଭୁଲୁକି ଗ୍ରାମରେ ଚଢ଼ାଉ କରାଯାଇଛି।  ମଙ୍ଗଳବାର ସକାଳେ କିସିଣ୍ଡା ବନ୍ୟପ୍ରାଣୀ ବିଭାଗ ଟିମ ଚଢ଼ାଉ କରିଥିଲା ।  ଚଢାଉ ବେଳେ ବେଆଇନ ଭାବେ ବନ୍ୟ ଜନ୍ତୁ ଶିକାର କରି ଥିବା ୩ ଜଣ ବ୍ୟକ୍ତି ବନ ବିଭାଗକୁ ଦେଖି ଫେରାର ହୋଇଯାଇଥିଲେ ।

ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଫେରାର ଶିକାରୀଙ୍କ ଘରେ ଚଢ଼ାଉ କରି  ଗୁଳି  ବିଧ ହୋଇଥିବା ଗୋଟିଏ ଝିଙ୍କି, ଗୋଟିଏ ଗୁରାଣ୍ଡି  , ଗୋଟିଏ ଦେଶୀ ବନ୍ଧୁକ, ୧୫ଟି ଅଫୁଟା ଗୁଳି, ୭୬ ଛେଲରା, ୧କେଜି୭ ଗ୍ରାମ ଓଜନର ଶିଶା, ୨ ଶମର ଶିଙ୍ଗ, ମୟୂରଝାଲି ୨ ବଣ୍ଡଲ, ୬ ବଣ୍ଡଲ ପକ୍ଷୀ ମାରିବା ଫାସ,  ୪ ବଣ୍ଡଲ ପଶୁ ମାରିବା ଫାସ, ଗୋଟିଏ ଟାଙ୍ଗିଆ, ୨ କଟୁରୀ, ବିଭିନ୍ନ ପକ୍ଷୀପର ଆଦି ଜବତ କରାଯାଇଛି।