କନକ ବ୍ୟୁରୋ: ଦୁର୍ନୀତିଗ୍ରସ୍ତଙ୍କୁ ଧରପଗଡ଼ରେ ମାତିଥିବା ଭିଜିଲାନ୍ସ ଆଜି ଏମିତି ଜଣେ ସରକାରୀ ବାବୁଙ୍କୁ ଧରିଛି । ଯାହାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ସମେତ ସାରା ଓଡ଼ିଶା ଚମକି ପଡ଼ିଛି । ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ୬ଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଛି । ଆଉ ଚଢ଼ାଉ ବେଳେ ତାଙ୍କ ବାସଭବନର ଯାହା ଜବତ ହେଉଛି, ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । 

Advertisment

ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ଜଙ୍ଗଲରୁ ଚାକିରି ଜୀବନ ଆରମ୍ଭ କରି ଡେପୁଟି ରେଞ୍ଜର ପଦବୀ ଯାଏଁ ପହଞ୍ଚିଥିବା ବାବୁ ରାମଚନ୍ଦ୍ରଙ୍କ ଲକରରେ ଥାକ ଥାକ ହୋଇ ରହିଛି ବିଡ଼ା ବିଡ଼ା ଟଙ୍କା । ଖୁନ୍ଦାଖୁନ୍ଦି ହୋଇ ଲକରରେ ଭର୍ତ୍ତି ହୋଇଛି ୫ଶହ ଟଙ୍କିଆ, ୨ ଶହ ଟଙ୍କିଆ ବିଡ଼ା । ଟ୍ରଲି ବ୍ୟାଗ ଭର୍ତ୍ତି ଟଙ୍କା, ଟେବୁଲ ଉପରେ ବିଡା ବିଡା ନୋଟ, ତା ଉପରେ ଟଙ୍କା ବ୍ୟାଗ । କେବଳ ଟଙ୍କା ନୁହେଁ ଜବତ ହୋଇଛି ପୁଳା ପୁଳା ସୁନା । ସୁନା ବିସ୍କୁଟ, ସୁନାର ମୁଦ୍ରା, ସୁନା ଚୁଡ଼ି, କାନ ଫୁଲ ସମେତ ବିଭିନ୍ନ ପ୍ରକାରର ଅଳଙ୍କାର । ଯାହାର ଓଜନ ପ୍ରାୟ ୭ଶହ ଗ୍ରାମରୁ ଅଧିକ । ସେହିପରି ରୂପାରେ ତିଆରି ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରିଛି ତଦନ୍ତକାରୀ ଟିମ୍ ।  ଯାହାର ଓଜନ ପ୍ରାୟ ୪କିଲୋରୁ ବେଶୀ । 

ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ୬ଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଛି । ବିଭିନ୍ନ ଠିକଣାରୁ ଠାବ ହୋଇଛି ବାବୁଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ।  

ଜୟପୁରରେ ବହୁତଳ ଅଟ୍ଟଳିକା 
ଜୟପୁରରେ ଦୁଇଟି ୨ ବିଏଚକେ ଫ୍ଲାଟ
ଭୁବନେଶ୍ୱରରେ ଗୋଟିଏ ୩ ବିଏଚକେ ଫ୍ଲାଟ ସହ ୩ଟି ଫ୍ଲାଟ 
ଜୟପୁର ସହରରେ ମୂଲ୍ୟବାନ ୨ଟି ପ୍ଲଟ 
ଗୋଟିଏ ଚାରି ଚକିଆ ଯାନ 
ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା 

ସୁନା ଦେଢ଼ କେଜି ଓ ରୁପା ୪ କେଜି ୬୩୭ ଗ୍ରାମ ଜବତ ହୋଇଛି । ଏହାଛଡ଼ା ବ୍ୟାଙ୍କ ଡିପୋଜିଟ୍, ନିବେଶ ଟଙ୍କା ଓ ଜମା ରାଶିର ହିସାବ କିତାବ ଚାଲିଛି । ବିପୁଳ ପରିମାଣର ଟଙ୍କା ଗଣିବାକୁ ଭିଜିଲାନ୍ସ ମେସିନର ସହାୟତା ନେଇଛି । ସେପଟେ କିନ୍ତୁ ଡେପୁଟି ରେଞ୍ଜର କହିଛନ୍ତି ସେ କିଛି ଦୁର୍ନୀତି କରି ନାହାନ୍ତି, ସବୁ ସମ୍ପତ୍ତିର ହିସାବ ଅଛି । 
କଥାରେ ଅଛି ବାଡ଼ ଯଦି ଫସଲ ଖାଇବ କହିବ କାହାକୁ । ଠିକ୍ ସେମିତି ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ରାମଚନ୍ଦ୍ର ନେପାକ କେମିତି ଜଙ୍ଗଲକୁ ଖାଇଯାଇ ଏତେ ସମ୍ପତ୍ତି ଅର୍ଜନ କଲେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।