କନକ ବ୍ୟୁରୋ : ପୁରୀ ଜିଲ୍ଲା ଡେଲାଙ୍ଗରେ ଚାଷୀର ଚିନ୍ତା ବଢ଼ାଇଛି ଜଙ୍ଗଲୀ ଜନ୍ତୁ । କ୍ଷେତରେ ପଶି ଏକର ଏକର ଫସଲ ନଷ୍ଟ କରିଦେଉଛନ୍ତି । ଅବସ୍ଥା ଏମିତି ହେଲାଣି ଯେ ଏବେ ଚାଷୀ ଚାଷ କରିବାକୁ ଡରୁଛନ୍ତି । ଏନେଇ ବନ ବିଭାଗ ନିକଟରେ ବାରମ୍ବାର ଜଣାଇବା ପରେ ବି କେହି ଏଥିପ୍ରତି ଧ୍ୟାନ ଦେଉନଥିବା ନେଇ ଆସିଛି ଅଭିଯୋଗ । ଜଙ୍ଗଲୀ ଜନ୍ତୁ ନଷ୍ଟ କରି ଚାଲିଛନ୍ତି ଫସଲ , ତଳି ପଡ଼ିଛି । ଧାନ ରୁଆ ବି ହୋଇଛି । ଚାଷ ଜମିରେ ଅନେକ ଫସଲ ବି ଲାଗିଛି । ହେଲେ ସବୁ କିଛି ଦଳି ଚକଟି ନଷ୍ଟ କରିଚାଲିଛନ୍ତି ଜଙ୍ଗଲୀ ଜନ୍ତୁ । ଡେଲାଙ୍ଗ ବ୍ଲକ୍ ସାଉରିଆ ଓ ସୁଜନପୁର ପଞ୍ଚାୟତର ଛଅଦଉଡ଼ିମୌଜାରେ ଜଙ୍ଗଲୀ ଜନ୍ତୁଙ୍କ ଫସଲ ନଷ୍ଟ କରୁଥିବା ବେଳେ ଅତିଷ୍ଠ ହୋଇପଡ଼ିଲେଣି ଚାଷୀକୁଳ । ପାଖ ଜଙ୍ଗଲରୁ ବାରହାରୁ ନେଇ ହରିଣ ପଶି ରୁଆ ଧାନ ନଷ୍ଟ କରିଦେଉଛନ୍ତି । ଘୁଷୁରି ଓ ବାରହା କଦଳୀ, ପନିପରିବା ଆଦି ଫସଲ ନଷ୍ଟ କରିଦେବା ସହ କ୍ଷେତକୁ କ୍ଷତି ପହଞ୍ଚାଉଛନ୍ତି । ପ୍ରତ୍ୟେକ ବର୍ଷ ଏପରି ହେଉଥିବାରୁ ଅନେକ ଚାଷୀ ଚାଷ କରିବାକୁ ଡରୁଛନ୍ତି ।
ଡେଲାଙ୍ଗ ବ୍ଲକରେ ଗତ କିଛି ଦିନ ହେବ ଫସଲ ନଷ୍ଟ କରିଚାଲିଛନ୍ତି ଜଙ୍ଗଲୀ ଜନ୍ତୁ । କୁମୁକା ଜଙ୍ଗଲରୁ ଘୁଷୁରି ଓ ବାରହା, ହରିଣ ଆଦି ଜୀବଜନ୍ତୁ ଖାଦ୍ୟ ଅନ୍ବେଷଣରେ ଚାଲିଆସି ଫସଲ ନଷ୍ଟ କରୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ବନ ବିଭାଗର ଏଥିପ୍ରତି ସାମାନ୍ୟତମ ନିଘା ନଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଏ ବାବଦରେ ଡେଲାଙ୍ଗ ବନ ବିଭାଗର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିବା ବେଳେ ବନ ବିଭାଗ କାର୍ଯ୍ୟାଳୟ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ତେବେ ତୁରନ୍ତ ଜଙ୍ଗଲୀ ଜନ୍ତୁଙ୍କ କବଳରୁ ଧାନକୁ ସୁରକ୍ଷା ଯୋଗାଇବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି ।