କନକ ବ୍ୟୁରୋ: ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲଙ୍କ ଆତ୍ମହତ୍ୟା ଘଟଣା ନେଇ ଲାଗି ରହିଛି ବିବାଦ। ଭୁବନେଶ୍ବରରୁ ଦିଲ୍ଲୀ, ନେପାଳ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ପ୍ରତିବାଦ। ପରିସ୍ଥିତିକୁ ଶାନ୍ତ କରିବା ପାଇଁ କମିଶନରେଟ ପୁଲିସ ଓ କିଟ୍ କର୍ତ୍ତୃପକ୍ଷଙ୍କ ଉଦ୍ୟମ ସତ୍ତ୍ବେ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ଘଟଣାର ସଠିକ ତଦନ୍ତ କରାଯାଇ ଯୁବତୀଙ୍କୁ ନ୍ୟାୟ ଦିଆଯିବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ମୃତ ଛାତ୍ରୀଙ୍କ ବାପା ବି ଝିଅକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ।
- ସୁରକ୍ଷାକର୍ମୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ
- ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି
- ଫେରି ଆସିବାକୁ ଭାରତୀୟ ଦୂତାବାସର ଅପିଲ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପୁଲିସ ତଦନ୍ତକୁ ଜୋରଦାର କରିଛି। କାର୍ଯ୍ୟାନୁଷ୍ଠାନ ବାବଦରେ ବିସ୍ତୁତ ରିପୋର୍ଟ ଦେଇଛି କମିଶନରେଟ୍ ପୁଲିସ । ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିବା କିଟର ସୁରକ୍ଷାକର୍ମୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି । ନେପାଳୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ୨୪ ଘଣ୍ଟିଆ ଟେଲିଫୋନ ନମ୍ବର ଜାରି ହୋଇଛି । କିଟ କର୍ତ୍ତୃପକ୍ଷ ବି ପୁଣି ଏକ ବିବୃତ୍ତି ଜାରି କରିଛନ୍ତି । କିଟର କିଛି ବରିଷ୍ଠ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଥିବାବେଳେ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ଏଭଳି ଘଟଣା ପାଇଁ ଦୁଃଖ ପ୍ରକାଶ କରଛନ୍ତି।
କିଟରେ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ସରକାର । ଉଚ୍ଚଶିକ୍ଷା ବିଭାଗର ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ସଚିବ କମିଟିର ସଦସ୍ୟ ଅଛନ୍ତି । ସେପଟେ କାଠମାଣ୍ଡୁରେ ବି କିଟ୍ ଛାତ୍ରୀ ମୃତ୍ୟୁ ନେଇ ତାତି ଦେଖିବାକୁ ମିଳିଛି । ନ୍ୟାୟ ଦାବିରେ ବିରୋଧ ପ୍ରଦର୍ଶନ ହୋଇଛି ।