କନକ ବ୍ୟୁରୋ : ପବିତ୍ର ଜାଗରଯାତ୍ରା ପାଇଁ ଭକ୍ତମୟ ହୋଇ ଉଠିଥିଲା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ସାରା ରାତି ଉଜାଗର ରହି ଦୀପ ଜାଳିଲେ ଶ୍ରଦ୍ଧାଳୁ। ଆଉ ଭୋର ପ୍ରାୟ ୪ଟା ୩୫ରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ଉଠିଲା ମହାଦୀପ। ଗତକାଲି ଦିନ ତମାମ ବାବାଙ୍କ ରୁଦ୍ରାଭିଷେକ ଓ ଜଳାଭିଷେକ ଚାଲିଲା। ରାତି ୧୨ଟାରେ ବାବାଙ୍କୁ ସୁନାବେଶ କରାଯାଇଥିଲା। ରାତି ୩ଟାରେ ବାବାଙ୍କ ସୁନାବେଶ ଦର୍ଶନ ସର୍ବସାଧାରଣ  ଦର୍ଶନ କରିବା ପରେ ରାତ୍ର ୩ଦ୩୦ରୁ ୪ଦ୩୦ମଧ୍ୟରେ ଷୋଡଶ ଉପଚାର ପୂଜାରେ ମହାଦୀପ ପ୍ରତିଷ୍ଠା ଓ ଅଗ୍ନି ସଂଯୋଗ କରାଯାଇ ୪ଦ୩୫ରେ ବିଶ୍ବକଲ୍ୟାଣ ଉଦ୍ୟେଶରେ ମହାଦୀପ ମନ୍ଦିରଚୂଡାକୁ ଉଠିଥିଲା।

Advertisment

ଢେଙ୍କାନାଳର ପ୍ରସିଦ୍ଧ ବାବା କପିଳାସଙ୍କ ପୀଠରେ ସାରା ରାତି ଜଳିଲା ଜାଗର। ଭୋର ସାଢେ ୪ଟାରେ ଉଠିଲା ମହାଦୀପ। ମନ୍ଦିର ବେଢ଼ାରେ ଘଣ୍ଟ ଘଣ୍ଟା ହରିବୋଲ ଶିବ ଧ୍ବନୀରେ ମହାଦୀପକୁ ୩ ଥର ପରିକ୍ରମା କରାଯାଇଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁ ଦୀପ ଜାଳି ଏହି ପବିତ୍ର ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ। ମନ୍ଦିର ଚୁଡକୁ ମହାଦୀପ ସେବକ ସତର୍କତା ଅବଲମ୍ବନ କରି ପ୍ରଭୁଙ୍କ ମହାଦୀପକୁ ମନ୍ଦିର ଚାରିପାଖରେ ବୁଲାଇ ଭକ୍ତଙ୍କୁ ଦେଖାଇଥିଲେ।

କଟକର ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ବି ଭୋରରୁ ଉଠିଛି ମହାଦୀପ। ଭୋର ୪ଟା ୩୦ରେ ମହାଦୀପ ଉଠିଛି। ଭକ୍ତମାନେ ସାରା ରାତି ଅନିଦ୍ରା ହୋଇ ବାବାଙ୍କ ପୀଠରେ ଦୀପ ଜାଳିଥିଲେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦୀପ ଜାଳିପାରିବେ ସେଥିପାଇଁ ପ୍ରସ୍ତୁତି କରିଥିଲା ପ୍ରଶାସନ।