କନକ ବ୍ୟୁରୋ : ବିଦ୍ୟାଳୟରୁ ଚୋରି କରି ଚାଲିଯାଇଛି ଚୋର । ଚୋରି ପରଠୁ ତଦନ୍ତ ପାଇଁ ସ୍କୁଲରେ ପଡ଼ିଛି ତାଲା । ତଦନ୍ତ ପାଇଁ ବିଦ୍ୟାଳୟ ଶ୍ରେଣୀଗୃହକୁ ଯିବାକୁ ବାରଣ କରିଛି ପୁଲିସ । ଫଳରେ ୫ ଦିନ ହେବ ବିଦ୍ୟାଳୟର ଛାତ୍ରଛାତ୍ରୀ ଶ୍ରେଣୀ ଗୃହକୁ ଯାଇ ପାରୁନାହାନ୍ତି । ପୋଲିସ ତଦନ୍ତ ଆଳରେ ଆଜି କାଲି କହି କହି ଦିନ ଗଡ଼େଇ ଚାଲିଛି । ଯାହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଅଷ୍ଟଶମ୍ଭୁ ସଂସ୍କୃତ ବିଦ୍ୟାପୀଠର କବାଟ ଝରକା ତାଡି ଦୁର୍ବୃତ ୧୯ ତାରିଖ ରାତିରେ କଳାକନା ବୁଲାଇ ଦେଇଛନ୍ତି ।
୨୦ ତାରିଖ ଦିନ ଏହା ଜଣାପଡିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜନଗର ଥାନାରେ ଏତଲା ଦେଇଥିଲେ। ସେହିଦିନ ସନ୍ଧ୍ୟାରେ ଏସ୍ଆଇ ସୌମ୍ୟ ରଞ୍ଜନ ଜାଲି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ସାଇଣ୍ଟିଫିକ୍ ଟିମ୍ ଆସିବ, ସେଥିପାଇଁ ବିଦ୍ୟାଳୟର କବାଟ, ଝରକା ସବୁ ଖୋଲା ରହିଛି । ଷ୍ଟାଫ କମ ଅଛନ୍ତି ତେଣୁ ଶିକ୍ଷକ ସ୍କୁଲକୁ ଜଗି ରହିବାକୁ କହିଛି ପୁଲିସ । ବିଦ୍ୟାଳୟର ନବମ , ଦଶମ ପିଲାଙ୍କ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ଚାଲିଥିବାରୁ ସେମାନେ ତଡା ହୋଇନଥିବା ଦୁଇଟି ଶ୍ରେଣୀଗୃହରେ ବସି ପରୀକ୍ଷା ଦେଇଛନ୍ତି । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ୪ଦିନ କାଳ ବିଦ୍ୟାଳୟକୁ ପାଠ ନପଢି ଫେରୁଥିଲେ । ଗତକାଲିଠୁ ତାଙ୍କୁ ବାରଣ୍ଡାରେ ବସି ପାଠ ପଢିବାକୁ ପଡୁଛି ।