କନକ ବ୍ୟୁରୋ: ଘରୋଇ ମୈଦାନରେ ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ । ପ୍ରଥମ ଥର ପାଇଁ ଘରୋଇ ସିରିଜରେ କ୍ଲିନ ସ୍ୱିପ୍ ହୋଇଛି ଭାରତ । ନ୍ୟୁଜିଲାଣ୍ଡ ଚତୁର୍ଥ ଦଳ ଭାବରେ ଭାରତକୁ କୌଣସି ଟେଷ୍ଟ ସିରିଜରେ କ୍ଲିନ ସ୍ୱିପ୍ କରିଛି । ଭାରତୀୟ ଟିମ୍ ନାଁରେ ସୃଷ୍ଟି ହୋଇଛି ଅଲୋଡା ରେକର୍ଡ । ଏହାପରେ ଏବେ ଫ୍ୟାନଙ୍କ ମନରେ ଅନେକ ପ୍ରଶ୍ନ । ଏମିତି ଭାରତ କେମିତି ବନିବ ବିଶ୍ୱ ଟେଷ୍ଟ ଚାମ୍ପିୟନ । 

Advertisment


ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟରୁ ଅନେକ ଆଶା ବାନ୍ଧି  ବସିଥିଲେ କ୍ରିକେଟ ପ୍ରଶଂସକ । ତୃତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ହିଁ ଟିମ ଇଣ୍ଡିଆ ୨୫ ରନରେ ପରାଜିତ ହୋଇଛି । ଏହାପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପହଞ୍ଚିବା ସନ୍ଦେହ ସୃଷ୍ଟି ହୋଇଛି । ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତ ଅଷ୍ଟ୍ରେଲିଆକୁ ୪-୦ରେ ହରାଇବାକୁ ହେବ । 


ତେବେ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ କଥା କହିଲେ ଭାରତର ବ୍ୟାଟିଂ ଅର୍ଡର ଏବେ ଚିନ୍ତା ଜନକ । କାରଣ ଲଗାତାର ତିନୋଟି ମ୍ୟାଚରେ ଭାରତର ଟପ୍ ଅର୍ଡର ଫେଲ ମାରିଛନ୍ତି । ଯାହା ପରାଜୟର ମୁଖ୍ୟ କାରଣ । ଖାଲି ସେତିକି ନୁହେଁ ଭାରତୀୟ ପିଚ୍ରେ ସ୍ପିନ ବିରୋଧରେ ସଂଘର୍ଷର ସମାଧାନ ଖୋଜି ପାଉନାହାନ୍ତି ଟିମ ଇଣ୍ଡିଆର ବ୍ୟାଟର । 
ପଞ୍ଚମ ଥର ପାଇଁ ଟେଷ୍ଟ କ୍ରିକେଟରେ ୨୦୦ରୁ କମ୍ ଟାର୍ଗେଟ ହାସଲ କରିବାରେ ଫେଲ ମାରିଛି । ଏହାପୂର୍ବରୁ ୧୯୯୭ରେ ୱେଷ୍ଟଇଣ୍ଡିଜ୍, ୨୦୧୫ରେ ଶ୍ରୀଲଙ୍କା, ୨୦୧୮ରେ ଇଲଂଣ୍ଡ ବିପକ୍ଷରେ ଭାରତ ସମାନ ପରିଣାମ ଭୋଗିଥିଲା । ଭାରତୀୟ ଟିମର ଏଭଳି ପ୍ରଦର୍ଶନ ପରେ ଲଗାତାର କ୍ୟାପଟେନ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ସମାଲୋଚନାର ଶିକାର ହୋଇଛନ୍ତି । ପରାଜୟ ପରେ ରୋହିତ ଶର୍ମା ମନୋବଳ ଭାଙ୍ଗି ପଡିଥିବା ଭଳି ଜଣା ପଡୁଛି । ସେ କହିଛନ୍ତି, ଏହି ପରାଜୟ ପାଇଁ ମୁଁ ଦାୟୀ । ପୂରା ସିରିଜରେ ଆମେ ଆମର ବେଷ୍ଟ ଦେବାରେ ଫେଲ ମାରିଥିଲୁ ।  ଏଭଳି ପରାଜୟ ଭୁଲିବା ସହଜ ହେବନି । ଏହା ମୋ କ୍ୟାରିଅରର ସବୁଠାରୁ ଖରାପ ପ୍ରଦର୍ଶନ ଥିଲା । ଘରୋଇ ମୈଦାନରେ ଗତ ୧୦ଟି ଇନିଂସରେ ରୋହିତ ମାତ୍ର ୧୩୩ ରନ୍ ହିଁ କରି ପାରିଛନ୍ତି । ସେହିଭଳି ବିରାଟ କୋହଲି ବି ଗତ ୧୦ଟି ଇନିଂସରେ ୧୯୨ ରନ୍ ହିଁ କରିଛନ୍ତି । 


ତୃତୀୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୫ ରନ୍ କରିଥିଲା । ଜବାବରେ ଭାରତ ୨୬୩ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୧୭୪ ରନ କରିଥିଲା । ଭାରତକୁ ୧୪୭ ରନ୍ର ଟର୍ଗେଟ ମିଳିଥିଲା । ହେଲେ ଭାରତ ମାତ୍ର ୧୨୧ ରନ୍ରେ ଅଲଆଉଟ ହୋଇ ଘରୋଇ ସିରିଜରେ କ୍ଲିନ ସ୍ୱିପର ଶିକାର ହୋଇ ଅଲୋଡା ରେକର୍ଡ ମୁଣ୍ଡେଇଛି ।