କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ମାଛ ଚାଷୀଙ୍କ ସଂଖ୍ୟା ବଢ଼ୁଛି । ହେଲେ ଯାଆଁଳ ପାଇଁ ପଶ୍ଚିମବଙ୍ଗ ନଇହାଟି ବଜାର ଉପରେ ନିର୍ଭର କରୁଛନ୍ତି ଅନେକ ଚାଷୀ । ଓଡ଼ିଶାରେ ମତ୍ସ୍ୟଚାଷୀଙ୍କ ଚାହିଦାକୁ ନଜରରେ ରଖି ବାଲେଶ୍ବରର କିଛି ବ୍ୟବସାୟୀ ପଶ୍ଚିମବଙ୍ଗରୁ ମାଛ ଯାଆଁଳ ଆଣି ସଂରକ୍ଷଣ କରି ରଖି ତାକୁ ବିକ୍ରି କରୁଛନ୍ତି । ୫୦ ବର୍ଷ ହେଲା ଜଳେଶ୍ୱର ଅଞ୍ଚଳର ପ୍ରାୟ ୨୫ ଜଣ ମତ୍ସ୍ୟଜୀବୀ ଯାଆଁଳ ବ୍ୟବସାୟ କରୁଛନ୍ତି । ପଶ୍ଚିମବଙ୍ଗରୁ ବିଭିନ୍ନ କିସମର ମାଛ ଯାଆଁଳ ଆଣି ବାଲେଶ୍ବରରେ ମିର୍ଜା ପୋଖରୀକୁ ଭଡ଼ା ସୂତ୍ରରେ ନେଇ ସଂରକ୍ଷଣ କରୁଛନ୍ତି । ରୋହି, ଭାକୁର, ମିରକାଳି, ମାଗୁର, ରୁପଚାନ୍ଦି, ଛେନା କରାଣ୍ଡି, ଭେକଟି ଆଦି ମାଛ ଯାଆଁଳ ଗ୍ରାହକଙ୍କୁ ବିକ୍ରି କରି ଲାଭବାନ ହେଉଛନ୍ତି ।
ଦୂର ବାଟରୁ ମାଛ ଯାଆଁଳ ଆସିବା ଫଳରେ ଦୁର୍ବଳ ହୋଇପଡ଼ନ୍ତି । ସେହି ମାଛରେ ଚାଷ କଲେ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଥାଏ । ତେଣୁ ରାତିରେ ପଶ୍ଚିମବଙ୍ଗରୁ ମାଛ ଆଣି ପ୍ରଥମେ ପୋଖରୀରେ ମଶାରି ଭିତର ଛଡ଼ାଯାଏ । ବଡ଼ ବଡ଼ ମୋଟର ପମ୍ପ ସାହାଯ୍ୟରେ ଅମ୍ଳଜାନ ସୃଷ୍ଟି କରି ୨ ସପ୍ତାହ ପର୍ଯ୍ୟନ୍ତ ରଖି ମାଛ ଯାଆଁଳର ମାନ ବୃଦ୍ଧି କରାଯାଏ । ଜୁନ୍ରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ବ୍ୟବସାୟ କରନ୍ତି ମତ୍ସ୍ୟଜୀବୀ । ୪ ମାସରେ ସେମାନଙ୍କୁ ଭଲ ରୋଜଗାର ମିଳିଥାଏ ।
ପ୍ରାୟ ଅଧିକାଂଶ ଚାଷୀ ମାଛ ଚାଷ କରନ୍ତି । ହେଲେ ମାଛ ଯାଆଁଳ ବ୍ୟବସାୟ ଖୁବ୍ କମ୍ ମତ୍ସ୍ୟଜୀବୀ କରନ୍ତି । ଲୋକଙ୍କ ଚାହିଦା ରହିଥିବାରୁ ଚାଷୀ ଲାଭବାନ ହେଉଛନ୍ତି ।