କନକ ବ୍ୟୁରୋ : ୭୯ତମ ସ୍ୱାଧୀନତା ଦିବସରେ ଆୟୋଜନ ହୋଇଛି ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ । ଉଲ୍ଲେଖନୀୟ ଅବଦାନ ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ମେଡାଲ ଓ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ୬ ଜଣଙ୍କୁ ସାହସିକତା ପାଇଁ ପ୍ରଦାନ କରାଯାଇଛି ରାଷ୍ଟ୍ରପତି ପଦକ । ଆର୍ମଡ୍ ପୁଲିସ ଏସଆଇ ଗିରିଶ ଚନ୍ଦ୍ର ମାଝୀ, ଏସଓଜି ହାବିଲଦାର ପବିତ୍ର କୁମାର ସାହୁ ଓ ଉମେଶ ମୁଣ୍ଡା, ଏସଓଜି କନେଷ୍ଟବଳ ପୀତାମ୍ୱର ସତନାମୀ, କବି ଚନ୍ଦ୍ର ରାଉତ ଓ ସୁଶାନ୍ତ କୁମାର ସାଗର । ବଲାଙ୍ଗୀର ଖପ୍ରାଖୋଲରେ ଏମାନେ ମାଓ ବିରୋଧୀ ଅପରେସନରେ ସାମିଲ ଥିଲେ । ୨୦୨୨ ନଭେମ୍ୱରରେ ପୁଲିସକୁ ବଡ଼ଧରଣର ସଫଳତା ମିଳିଥିଲା । ପ୍ରାୟ ୫ଦିନ ଧରି ଅଖିଆ ଅପିଆ ଅପରେସନରେ ସାମିଲ ଥିବା ଏହି ପୁଲିସ ଅଧିକାରୀ ବଖାଣିଛନ୍ତି ସେଦିନର ଅନୁଭୂତି ।
ସେହିପରି ଭିଜିଲାନ୍ସ ଅଧୀକ୍ଷକ ସରୋଜ ସାମଲ ଓ କନେଷ୍ଟବଳ ସତ୍ୟବାଦୀ ମଲ୍ଲିକଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି । ସମ୍ମାନଜନକ ସେବା ପାଇଁ ମଧ୍ୟ ୧୧ ଜଣଙ୍କୁ ଦିଆଯାଇଛି ରାଷ୍ଟ୍ରପତି ପଦକ। ସେହିପରି ଅଗ୍ନିଶମ ବିଭାଗରେ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଓ ୪ ଜଣଙ୍କୁ ସମ୍ମାନଜନକ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି । ହୋମଗାର୍ଡ ଓ ନାଗରିକ ସୁରକ୍ଷା ବିଭାଗରୁ ମଧ୍ୟ ୩ ଜଣଙ୍କୁ ପଦକ ପ୍ରଦାନ କରାଯାଇଥିବା ବେଳେ ୩୦ ବର୍ଷ ଧରି ଜେଲ୍ ବିଭାଗରେ କାମ କରୁଥିବା ସୁପରିଟେଣ୍ଡେଣ୍ଟ ସୁଚିତ୍ରା ଦାସଙ୍କୁ ସିନିୟର ସୁପରିଟେଣ୍ଡେଣ୍ଟ କୁରାନ ମାର୍ଣ୍ଡିଙ୍କ ସହ ଜେଲ୍ ସୁଧାର ପାଇଁ ସମ୍ମାନଜନକ ରାଷ୍ଟ୍ରପତି ପଦକ ଦିଆଯାଇଛି । ତେବେ କଏଦୀ ଓ ଗ୍ୟାଙ୍ଗଷ୍ଟରଙ୍କୁ ନେଇ ଜେଲ୍ ଭିତରେ କାମ ସାଙ୍ଗକୁ ପରିବାରର ଚାପ ଅନେକ କଷ୍ଟଦିଏ ବୋଲି କହିଛନ୍ତି ବାଲେଶ୍ୱରର ସିଂହମ ସୁପରିଟେଣ୍ଡେଣ୍ଟ ସୁଚିତ୍ରା ଦାସ ।
୭୯ତମ ସ୍ୱାଧୀନତା ଦିବସରେ ଦେଶର ୧ ହଜାର ୯୦ ଜଣ ପୁଲିସ, ଅଗ୍ନିଶମ, ହୋମଗାର୍ଡ ଓ ନାଗରିକ ସୁରକ୍ଷା ଏବଂ ସୁଧାର ସେବା କର୍ମଚାରୀ, ଅଧିକାରୀଙ୍କୁ ସେମାନଙ୍କ ସାହସିକତା ତଥା ଉତ୍ସର୍ଗୀକୃତ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି।